ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ୨୦୨୫ ଅନୁଷ୍ଠିତ ହୋଇଛି। ଲୋକ ଅଦାଲତରେ ୭୯ ଟି ପ୍ରାକ ମକଦ୍ଦମାଜନିତ ମାମଲାର ଫଇସଲା କରାଯାଇ ୩୧ ଲକ୍ଷ ୩୯ ହଜାର ୧୬ ଟଙ୍କାର ସମାଧାନ କରାଯାଇଥିଲା। ସେହିପରି ୨୮୯୪ଟି ବିଚାରାଧୀନ ମାମଲାର ଫଇସଲା କରାଯାଇଥିଲା। ସେଥିମଧ୍ୟରୁ ୨୦ଟି ମୋଟରଯାନ ଦୁର୍ଘଟଣା ଜନିତ ମାମଲାର ଫଇସଲା କରାଯାଇ ୧ କୋଟି ୨୯ ଲକ୍ଷ ୨୫ ହଜାର ଟଙ୍କାର କ୍ଷତି ପୂରଣ ପ୍ରଦାନ କରାଯାଇଥିଲା। ସେହିଭଳି ୩୨ ଟି ଚେକ ବାଉନ୍ସ ମାମଲାର ବିଚାର କରାଯାଇ ୧ କୋଟି ୭୯ ଲକ୍ଷ ୭୧ ହଜାର ୬୯୨ ଟଙ୍କାରେ ସମାଧାନ କରାଯାଇଥିଲା। ୭ଟି ଶ୍ରମ ବିବାଦଜନିତ ମାମଲାର ବିଚାର କରାଯାଇ ୧୩ ଲକ୍ଷ ୮୧ ହଜାର ୫୯୧ ଟଙ୍କାରେ ସମାଧାନ କରାଯାଇଥିଲା।
ସେହିପରି ୫୬ ଟି ଦେୱାନୀ ମାମଲାର ସମାଧାନ କରାଯାଇ ଥିଲା। ୫ଟି ବିଚାରାଧୀନ ବ୍ଯାଙ୍କ ସମ୍ପର୍କିତ ମାମଲା, ୮ଟି ପାରିବାରିକ ମାମଲା (ଛାଡପତ୍ର ବ୍ଯତୀତ), ୪ଟି ଖାଉଟି ବିବାଦ, ୫୨୨ଟି ଫୌଜଦାରୀ ସମ୍ପର୍କିତ ମାମଲା, ୨୨୪୦ ଟି ରାଜସ୍ବ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ମାମଲା ଫଇସଲା କରାଯାଇଥିଲା। ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ତାଳଚେର, ଆଠମଲିକ, ପାଳଲହଡ଼ା, ଛେଣ୍ଡିପଦା ଓ ବଅଁରପାଳର ବ୍ୟକ୍ତି ଓ ବ୍ୟବସାୟ ପ୍ରତିଷ୍ଠାନ ଅଂଶଗ୍ରହଣ କରିଥିଲେ।
ଜିଲ୍ଲା ଓ ଦୌରା ଜଜ ତଥା ଜିଲ୍ଲା ଆଇନସେବା ପ୍ରାଧିକରଣର ଅଧ୍ୟକ୍ଷ ଦାମୋଦର ରଥଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ରାଷ୍ଟ୍ରୀୟ ଲୋକ ଅଦାଲତକୁ ଜିଲ୍ଲା ଆଇନସେବା ପ୍ରାଧିକରଣର ସଚିବ ପରିଚାଳନା କରିଥିଲେ।