ଅନୁଗୋଳ: କଣିହାଁ ପଞ୍ଚାୟତ ସମିତି ପ୍ରାଙ୍ଗଣରେ ଆଜି ସେବା ସେତୁ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ବିଭିନ୍ନ ସରକାରୀ ବିଭାଗ ପକ୍ଷରୁ ଷ୍ଟଲ ଖୋଲାଯାଇ ସରକାରଙ୍କ ବିଭିନ୍ନ ଜନକଲ୍ୟାଣମୂଳକ ଯୋଜନା ସମ୍ପର୍କରେ ଲୋକଙ୍କୁ ସଚେତନ କରାଯାଇଥିଲା। ସାମାଜିକ ସୁରକ୍ଷା, ଖାଦ୍ୟ ଯୋଗାଣ, ଗ୍ରାମୀଣ ଗୃହ, ରାଜସ୍ୱ, ସ୍ୱାସ୍ଥ୍ୟ, କୃଷି, ମହିଳା ଓ ଶିଶୁ ବିକାଶ, ଶିକ୍ଷା ଏବଂ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ଯୋଜନାଗୁଡ଼ିକର ସୂଚନା ଓ ସେବା ଲୋକଙ୍କୁ ପ୍ରଦାନ କରାଯାଇଥିଲା।
ଏହି ଅବସରରେ ମଧୁବାବୁ ପେନସନ ଯୋଜନାରେ ନୂତନ ଭାବେ ମଞ୍ଜୁର ହୋଇଥିବା ୭୦ ଜଣ ହିତାଧିକାରୀଙ୍କୁ ଭତ୍ତା ମଞ୍ଜୁର ପତ୍ର ପ୍ରଦାନ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାରେ ୧୦ ଜଣ ହିତାଧିକାରୀଙ୍କୁ ନୂତନ କାର୍ଡ ବଣ୍ଟନ କରାଯାଇଥିଲା। ସେହିପରି ରାଜସ୍ୱ ବିଭାଗ ପକ୍ଷରୁ ୧୦ଟି ବିଦ୍ୟାଳୟକୁ ଜମି ପଟ୍ଟା, ୪ ଜଣ ହିତାଧିକାରୀଙ୍କୁ ନୂତନ ଶ୍ରମିକ କାର୍ଡ ଏବଂ ୨ ଜଣ ଭିନ୍ନକ୍ଷମ ହିତାଧିକାରୀଙ୍କୁ ତିନି ଚକିଆ ସାଇକେଲ ପ୍ରଦାନ କରାଯାଇଥିଲା।
ଶିବିରରେ ପାଲଲହଡା ବିଧାୟକ ଅଶୋକ ମହାନ୍ତି, ଢେଙ୍କାନାଳ ସାଂସଦଙ୍କ ପ୍ରତିନିଧି ନୃସିଂହ ବରାଳ, ପଞ୍ଚାୟତ ସମିତି ଅଧ୍ୟକ୍ଷ ରାମକୃଷ୍ଣ ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟ ରଞ୍ଜନ କୁମାର ସାହୁ, ବିଡିଓ ତ୍ରିବିକ୍ରମ କୁମୁରା, ଅତିରିକ୍ତ ତହସିଲଦାର ମନୋରଞ୍ଜନ ଜେନା, ବ୍ଲକ ଶିକ୍ଷାଧିକାରୀ ପ୍ରିୟରଞ୍ଜନ ପ୍ରଧାନ, ସହକାରୀ ନିର୍ବାହୀ ଯନ୍ତ୍ରୀ ଚିନ୍ମୟ ମିଶ୍ର ଓ ଏବିଡିଓ ସୁତିକ୍ଷ୍ଣା ମହାପାତ୍ରଙ୍କ ସମେତ ବ୍ଲକର ସମସ୍ତ କର୍ମଚାରୀ, ନିର୍ବାଚିତ ପ୍ରତିନିଧି ଏବଂ ବିଭିନ୍ନ ପଞ୍ଚାୟତରୁ ଆସିଥିବା ଶତାଧିକ ହିତାଧିକାରୀ ଉପସ୍ଥିତ ଥିଲେ।












