ଅନୁଗୁଳ: ବୈଦିକ ରୀତିନୀତି ଅନୁସାରେ ମନ୍ଦିରରେ ବିବାହ ହେଲା। ଝିଅ ବିଦା ହୋଇ ଶାଶୁ ଘରକୁ ମଧ୍ୟ ଗଲେ। କିନ୍ତୁ ବାହାଘରର ତିନି ଦିନ ପରେ ଅର୍ଥାତ୍ ଚତୁର୍ଥୀରେ ଝିଅ ବାହାଘରକୁ ପ୍ରତ୍ୟାଖ୍ୟାନ କରିବା ସହ ନିଜ ପ୍ରେମିକ ପାଖକୁ ଫେରିଯିବାକୁ ଜିଦ କରିଥିଲା। ଝିଅର ଜିଦ ଆଗରେ ବାଧ୍ୟ ହୋଇ ଦୁଇ ପରିବାର ମୁଣ୍ଡ ନୁଆଇଁଥିବା ଜଣାଯାଇଛି। ଆଜି ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ତାଳଚେର ଥାନା ଅନ୍ତର୍ଗତ ତାଳଚେର ଟାଉନ ବଡ ଦାଣ୍ଡ ସାହି ଏକ ନମ୍ବର ୱାର୍ଡରେ।
ସୂଚନା ମୁତାବକ, ଏକ ନମ୍ବର ୱାର୍ଡର ଟିକନ ବେହେରା ଗତ ଫେବ୍ରୁଆରୀ ୧୮ରେ ବଅଁରପାଳ ବ୍ଲକ ତୁଳସୀପାଳ ଗାଁର ବର୍ଷା ଦେହୁରୀଙ୍କୁ ବୈଦିକ ରୀତିନୀତି ଅନୁଯାୟୀ ମନ୍ଦିରରେ ବିବାହ କରିଥିଲେ। କିନ୍ତୁ ବିବାହର ଠିକ ତିନି ଦିନ ପରେ ଅର୍ଥାତ ଆଜି ଚତୁର୍ଥୀରେ ହଠାତ ବର୍ଷା ଦେହୁରୀ ନିଜର ପୁରୁଣା ପ୍ରେମିକ ଶିବୁ ଦେହୁରୀକୁ ବିବାହ କରିବାକୁ ଜିଦ ଧରିଥିଲେ। ଏଥିସହ ଏହି ବିବାହ ତାଙ୍କ ଇଚ୍ଛା ଅନୁସାରେ ହୋଇ ନାହିଁ, ତାଙ୍କୁ ବାପା-ମା ଜୋରଜବରଦସ୍ତ ଟିକନଙ୍କ ସହିତ ବିବାହ କରାଇଛନ୍ତି ବୋଲି ସେ କହିଥିଲେ। ଏହି ବିବାହରେ ସେ ଖୁସି ନାହାନ୍ତି ଓ ସେ କଦାପି ଟିକନଙ୍କ ସହିତ ବୈବାହିକ ଜୀବନ ଗଢ଼ି ପାରିବେ ନାହିଁ। ତାଙ୍କୁ ତାଙ୍କ ପୁରୁଣା ପ୍ରେମିକ ଶିବୁଙ୍କ ସହିତ ବିବାହ କରାଇ ଦିଆଯାଉ ବୋଲି ବର୍ଷା ରୋକଠୋକ ଶୁଣାଇ ଦେଇଥିଲେ। ଶାଶୁ ଘର ଲୋକ ଏହା ଶୁଣି ବର୍ଷାଙ୍କ ଘର ଲୋକଙ୍କୁ ଖବର ଦେଇଥିଲେ। ପରେ ଉଭୟ ପରିବାର ତାଳଚେର ଥାନାର ଦ୍ୱାରସ୍ଥ ହୋଇଥିଲେ। ତେବେ ଥାନାରେ ମଧ୍ୟ ବର୍ଷା ସମାନ କଥା ଦୋହରାଇ ଥିଲେ ଓ ଶିବୁଙ୍କ ସହିତ ବିବାହ କରିବାକୁ ଜିଦ ଧରିଥିଲେ। ବାଧ୍ୟ ହୋଇ ଘର ଲୋକଙ୍କୁ ବର୍ଷାଙ୍କ ଜିଦ ଆଗରେ ମୁଣ୍ଡ ନୁଆଇଁବାକୁ ପଡ଼ିଛି। ବର୍ଷା ଉଭୟ ପରିବାର, ମୁରବି, ସାହି ପଡିଶା ଓ ତାଳଚେର ପୋଲିସର ଉପସ୍ଥିତିରେ ଏକ ଚୁକ୍ତିନାମା ଲେଖି ତାଙ୍କ ପୁରୁଣା ପ୍ରେମିକ ଶିବୁ ଦେହୁରୀଙ୍କ ପାଖକୁ ଚାଲି ଯାଇଛନ୍ତି। ଏହି ଘଟଣା ତାଳଚେର ଅଞ୍ଚଳରେ ଚର୍ଚ୍ଚାରେ ରହିଛି।