ଅନୁଗୁଳ: ବ୍ରାହ୍ମଣୀ ନଦୀ ଉପରେ ସ୍ଥାପିତ ଓଡ଼ିଶାର ଦ୍ଵିତୀୟ ବୃହତ୍ତମ ବନ୍ଧ ରେଙ୍ଗାଳି ଡ୍ୟାମ୍ ସାଇଟ୍ର ବିକାଶ କରାଯିବ। ଯାହା ଫଳରେ ଏହା ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିପାରିବ। ଗତ ମଙ୍ଗଳବାର ଦିନ ଏହି ଡ୍ୟାମ୍ ସାଇଟ୍ ପରିଦର୍ଶନରେ ଯାଇଥିଲେ ଅନୁଗୁଳ ଜିଲ୍ଲା ପାଳ ଅବ୍ଦଲ ଏମ୍ ଅଖତାର। ତାଙ୍କ ସହିତ ରେଙ୍ଗାଳି ଡିଭିଜନର ଏସ୍ଇ ଏବଂ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।ଜିଲ୍ଲାପାଳ ଶ୍ରୀଯୁକ୍ତ ଅଖତାର ଜଳଭଣ୍ଡାରର ଜଳଧାରଣ କ୍ଷମତା ଏବଂ ଏହାର ସୁରକ୍ଷା ବ୍ୟବସ୍ଥା ନେଇ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ।
ଏହାଛଡା ଏହି ଅଞ୍ଚଳର ବିକାଶ ପାଇଁ ସେ ଏସ୍ଇ ଙ୍କୁ ଏକ ପ୍ରୋଜେକ୍ଟ ତିଆରି କରିବାକୁ ପରାମର୍ଶ ଦେଇଥିଲେ। ଆଶା କରାଯାଏ ଏହି ପ୍ରକଳ୍ପ ସମ୍ପୂର୍ଣ ହେଲେ ଜିଲ୍ଲା ପର୍ଯ୍ୟଟନ କ୍ଷେତ୍ରରେ ଏକ ମାଇଲ ଖୁଣ୍ଟ ସ୍ଥାପିତ ହେବ। ସୂଚନା ଯୋଗ୍ୟ ଯେ, ଏହି ବନ୍ଧର ଉଚ୍ଚତା ୨୩୧ ଫୁଟ ଏବଂ କ୍ଷେତ୍ରଫଳ ୩୭,୮୪୦ ହେକ୍ଟର। ଏଠାରେ ପାଞ୍ଚ ଗୋଟି ଟର୍ବାଇନ୍ ରହିଛି ଏବଂ ପ୍ରତ୍ୟେକରୁ ୫୦ ମେଗାୱାଟ ବିଦ୍ୟୁତ ଶକ୍ତି ଉତ୍ପାଦନ ହେଉଛି।











