ଅନୁଗୁଳ: ଚର୍ଚ୍ଚାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ। ରୋଗୀଙ୍କ ମୂଲ୍ୟବାନ ସାମଗ୍ରୀ ଚୋରି ସାଧାରଣ ଘଟଣାରେ ପରିଣତ ହୋଇଛି। ମେଡିକାଲ୍ର ଦାମୀ ଉପକରଣ ସବୁ ନିୟମିତ ଚୋରି ହେଉଛି । ସିସିଟିଭି ଓ ମାଳ ମାଳ ସୁରକ୍ଷାକର୍ମୀ ସତ୍ତ୍ବେ ଏଥିରେ ରୋକ୍ ଲାଗୁ ନଥିବା ବେଳେ ଗୁରୁବାର ସକାଳେ ଜଣେ ପ୍ରସୂତିଙ୍କ ଠାରୁ ଚୋରି ହୋଇଛି। କେହି ଦୁର୍ବୃତ୍ତ ୮ ହଜାର ଟଙ୍କା ସହ ତାଙ୍କର ୪ଟି ସୁନା ମୁଦି ଚୋରି କରିଥିବା ସେ ଅଭିଯୋଗ କରିଛନ୍ତି। ପ୍ରାପ୍ତ ସୂଚନା ମୁତାବକ, ଛେଣ୍ଡିପଦା ଥାନା ଇଲାକା କୋଶଳାର ଜ୍ୟୋତିର୍ମୟୀ ପ୍ରଧାନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମାତୃ ଓ ଶିଶୁ ବିଭାଗରେ ଭର୍ତ୍ତି ହୋଇଥିଲେ। ଏଠାରେ ତାଙ୍କର ପ୍ରସବ ହୋଇଥିଲା। ତେବେ ସେ ଗୁରୁବାର ସକାଳ ୭ଟା ବେଳେ ଲୁଗାପଟା ଧୋଇବାକୁ ବାଥ୍ରୁମ୍ ଯାଇଥିଲେ। ଚୋରି ଆଶଙ୍କା କରି ସେ ସାଥୀରେ ପାଖରେ ଥିବା ୮ ହଜାର ଟଙ୍କା ଓ ୪ଟି ସୁନା ମୁଦି ଧରି ଯାଇଥିଲେ। ବାଥ୍ରୁମ୍ରେ ନିତ୍ୟକର୍ମ କରୁଥିବା ବେଳେ ବାହାରୁ ସଫେଇ କର୍ମଚାରୀ କବାଟ ବାଡ଼େଇଥିଲେ। ସଫେଇ ହେବ ତୁରନ୍ତ ସମସ୍ତ କାମ ସାରିବାକୁ ସେମାନେ କହିଥିଲେ। ଫଳରେ ଜ୍ୟୋତିର୍ମୟୀ ତରବରରେ ଟଙ୍କା ଓ ସୁନା ବାଥରୁମ୍ରେ ଛାଡ଼ି ପଳାଇ ଆସିଥିଲେ। । କିଛି ସମୟ ପରେ ଟଙ୍କା ଓ ସୁନା ନଥିବା ଜାଣିବା ପରେ ସେ ପୁନର୍ବାର ବାଥରୁମକୁ ଦୌଡ଼ିଥିଲେ । ମାତ୍ର ସେଠାରେ ଟଙ୍କା କି ସୁନା ମିଳିନଥିଲା । ସେ ଏନେଇ ପରିବାର ଲୋକଙ୍କୁ ଜଣାଇବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା। ସୁରକ୍ଷାକର୍ମୀ ପହଞ୍ଚି ବୁଝାସୁଝା କରିଥିଲେ। ପରେ ସିସିଟିଭି ଯାଞ୍ଚ କରିବା ପରେ ମଧ୍ୟ କୌଣସି ସୁରାକ୍ ମିଳିନଥିଲା। ବାଧ୍ୟହୋଇ ମହିଳା ମୁଣ୍ଡକାନ ଆଉଁଷି ରହିଥିଲେ। ତେବେ ସନ୍ଧ୍ୟା ସୁଦ୍ଧା ଥାନାରେ ପୁଲିସ ନିକଟରେ କୌଣସି ଅଭିଯୋଗ ହୋଇନଥିବା ଜଣାପଡ଼ିଛି।
ପ୍ରସୂତିଙ୍କ ଟଙ୍କା, ସୁନା ମୁଦି ଚୋରି
- Post published:December 17, 2021
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Angul TV Bureau

Tags: Angul