ସନ୍ତୋଷ ଏଜେନ୍ସୀ ସଟର‌୍‌ ତାଡ଼ିଦେଲେ

You are currently viewing ସନ୍ତୋଷ ଏଜେନ୍ସୀ ସଟର‌୍‌ ତାଡ଼ିଦେଲେ

ଅନୁଗୁଳ: ଅନୁଗୁଳ ସହରରେ ମାତିଛନ୍ତି ଲୁଟେରା। ପୁଲିସ୍‌କୁ ଖୋଲା ଚ୍ୟାଲେଞ୍ଜ ଦେଇ କରୁଛନ୍ତି ଲୁଟ୍‌ପାଟ୍‌। ଢିଲା ପାଟ୍ରୋଲି˚ ଯୋଗୁଁ ରାତିରେ ଦୁବୃର୍ତ୍ତଙ୍କ ଦୌରାତ୍ମ୍ୟ ବଢ଼ୁଛି। ଗୁରୁବାର ବିଳମ୍ବିତ ରାତିରେ ୫୫ ନମ୍ବର ଜାତୀୟ ରାଜପଥ କଡ଼ ହନୁମାନ ବଜାରରେ ଥିବା ଏକ ଟାୟାର‌୍‌ ଦୋକାନରେ ଦୁବୃର୍ତ୍ତ କଳାକନା ବୁଲାଇଛନ୍ତି। ଦୋକାନର ସଟର‌୍‌ ତାଡ଼ି ୬ ଲକ୍ଷରୁ ଅଧିକ ଟଙ୍କାର ଟାୟାର ଲୁଟି ନେଇଛନ୍ତି। ଏ ନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ୍‌ ଅନୁସନ୍ଧାନ ଆରମ୍ଭ କରିଛି।
ପୁଲିସ୍‌ ସୂଚନା ମୁତାବକ, ଅନୁଗୁଳ ସହରର ହନୁମାନ ବଜାରରେ ହରେକୃଷ୍ଣ ଅଗ୍ରୱାଲ୍‌ଙ୍କ ସନ୍ତୋଷ ଏଜେନ୍ସୀଜ୍‌ ନାମରେ ଏକ ଟାୟାର‌୍‌ ଦୋକାନ ରହିଛି। ଦୋକାନଟି ଦୀର୍ଘ ୨୫ ବର୍ଷର। ଗୁରୁବାର ଗୋଟିଏ ଓଳି ଦୋକାନ ଖୋଲିବା ପରେ ଅପରାହ୍ଣ ୨ଟାରେ ଦୋକାନ ବନ୍ଦ କରିଥିଲେ ହରେକୃଷ୍ଣ। ବିଳମ୍ବିତ ରାତିରେ ଏକ ଟ୍ରକ୍‌ରେ ଆସି ଦୁବୃର୍ତ୍ତ ଦୋକାନରେ କଳକନା ବୁଲାଇଥିଲେ। ସଟର‌୍‌କୁ ଏକ ଶାବଳରେ ତାଡ଼ି ୫୦ରୁ ଅଧିକ ଟାୟାର ଲୁଟି ନେଇଛନ୍ତି। ତେବେ ଦୋକାନର ଟଙ୍କା ବାକ୍ସରେ ଦୁବୃର୍ତ୍ତ ହାତ ମାରିନଥିବା ଜଣାପଡ଼ିଛି। ସକାଳେ ଦୋକାନ ଖୋଲିବାକୁ ଆସିଥିବା ହରେକୃଷ୍ଣ ସଟର‌୍‌ ତଡ଼ା ଯାଇଥିବା ଦେଖିବାକୁ ପାଇଥିଲେ। ସେ ଏନେଇ ଅନୁଗୁଳ ଥାନା ଓ ଏସ୍‌ପିଙ୍କ ଦ୍ବାରସ୍ଥ ହୋଇଥିଲେ। ପୁଲିସ୍‌ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଖୋଳତାଡ଼ ଆରମ୍ଭ କରିଥିଲା। ସହରରେ ଲାଗିଥିବା ବିଭିନ୍ନ ସିସିଟିଭି ଯାଞ୍ଚ ପରେ ଦୁବୃର୍ତ୍ତ ଏକ ନମ୍ବର ବିହୀନ ଟ୍ରକ୍‌ରେ ଆସି ଲୁଟ୍‌ପାଟ୍‌ କରିଥିଲେ। ରାତି ୨ଟା ପରେ ଏହି ଚୋରି ହୋଇଥିବା ପୁଲିସ୍ ଅନୁମାନ କରିଛି।

Share

Leave a Reply