ଅନୁଗୁଳ: ମଣିଷ ସୁସ୍ଥ ସବଳ ତଥା ମାନସିକ ଭାବେ ଦକ୍ଷ ରହିବାପାଇଁ ଯେମିତି ଉତ୍ତମ ଖାଦ୍ୟ ଓ ଉତ୍ତମ ପରିବେଶ ଆବଶ୍ୟକ କରେ ପୃଥିବୀ ମଧ୍ୟ ସବୁଜ ସୁନ୍ଦର ରହିବା ପାଇଁ ତାର ମାଟି ପାଣି ପବନ କିଭଳି ସ୍ୱଚ୍ଛ ଓ ପ୍ରଦୂଷଣମୁକ୍ତ ରହିବ ତାହା ଦେଖିବା ଆମର କର୍ତ୍ତବ୍ୟ। କିନ୍ତୁ ଗତ ଦୁଇ ଦଶନ୍ଧି ଧରି ଆମ ଜିଲ୍ଲା,ଆମ ରାଜ୍ୟ,ଆମ ଦେଶ ଯେଭଳି ବିପର୍ଯ୍ୟସ୍ତ ପରିବେଶ ଦେଇ ଗତି କରୁଛି ତାର ମନ୍ଦ ଫଳ ଆମେ ଭୋଗ ମଧ୍ୟ କରୁଛୁ। ଏହି ବିପର୍ଯ୍ୟସ୍ତ ପରିବେଶ ପାଇଁ ଆମେ ଦାୟୀ।ଆମେ ନ ସୁଧୁରିଲେ ପରିବେଶ ଠିକ୍ ରହିବ ନାହିଁ।ଆମ ଜିଲ୍ଲାର ସାତକୋଶିଆ ଗଣ୍ଡ ଓଡ଼ିଶାର ଅନ୍ୟତମ ଘଞ୍ଚ ଜୈବ ବିବିଧତାପୂର୍ଣ୍ଣ ଅଞ୍ଚଳ। ଏଠାରେ ଏକଦା ଶାଳ,ପିଆଶାଳ,ମହୁଆ ଆଦି ଗଛ ବହୁ ସଂଖ୍ୟା ରେ ଥିଲା।
କିନ୍ତୁ ସହରୀକରଣ ବଢିଲା।ଗଛ ପଦା ହେଲା। ଛତିଶଗଡ ଯୋଗୁଁ ମହାନଦୀର ଉପରମୁଣ୍ଡରୁ ଯେତେ ପାଣି ଆସିବା କଥା ଆଉ ଆସୁନାହିଁ। ମହାନଦୀ କ୍ରମଶଃ ସୁଖୀ ଯାଉଛି। ସାତକୋଶିଆର ଘଞ୍ଚ ଜଙ୍ଗଲ ଭିତରେ ବହୁ ଦୁର୍ଲଭ ଗଛ ଲତା ଗୁଳ୍ମ ସମେତ ଶୈବାଳ ଆଦି ଦେଖିବାକୁ ମିଳୁଥିଲା ଯାହା ଏବେ ଧୀରେ ଧୀରେ ଲୁପ୍ତ ପାଇବାକୁ ବସିଲାଣି।ଖଣି ଖାଦାନ ବଢ଼ିବା,ବନ୍ୟ ଜନ୍ତୁଙ୍କ ବାସ ସ୍ଥାନ ନଷ୍ଟ ହେବା ଯୋଗୁଁ ବନ୍ୟ ଜନ୍ତୁ ବିଶେଷ କରି ହାତୀ,ବାରହା ଏବେ ଗାଁ ମୁହାଁ ହେଲେଣି।
ଏଥିରେ ଅଯଥାରେ ଲୋକଙ୍କ ଧନ ଜୀବନ ନଷ୍ଟ ହେଉଛି। ସାତକୋଶିଆ ରେ ୨୦୦ ରୁ ଅଧିକ ପ୍ରକାରର ପକ୍ଷୀ ଦେଖିବାକୁ ମିଳୁଥିଲେ। ଏବେ ଅନେକ ଲୋପ ପାଇ ଗଲେଣି।ଉଡ଼ନ୍ତା ଗୁଣ୍ଡୁଚି ଯାହାକୁ ଜିଲ୍ଲାପ୍ରଶାସନ ଏକଦା ଜିଲ୍ଲା ମହୋତ୍ସବ ର ମାସ୍କଟ କରିଥିଲା ତାର ସୁରକ୍ଷା ପାଇଁ ବିଭାଗୀୟ ତତ୍ପରତା ଯେଭଳି ରହିବାକଥା ତାହା ହେଉନାହିଁ।ଗତ ଦଶ ବର୍ଷ ମଧ୍ୟରେ ଅନୁଗୋଳ ସହରରେ କେବଳ ନୂଆ ଘର ତିନି ଗୁଣା ବଢ଼ିଛି।ଖଣି ଖାଦାନ ବଢ଼ିଲାଣି।
ତେଣୁ ତାପମାତ୍ରା ଏବେ ପୂର୍ବ ବର୍ଷ ତୁଳନାରେ ଦୁଇ ରୁ ତିନି ଡିଗ୍ରୀ ଅଧିକ ରହୁଛି।ବର୍ତ୍ତମାନ ଖରା ୪୨ ରୁ ୪୩ ଡିଗ୍ରୀ ରହୁଛି। ଏଭଳି ତାତିରେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡୁଛି।ଯଦି ସରକାର ଆସନ୍ତା ଦିନରେ ବୃକ୍ଷରୋପଣ ଅଭିଯାନକୁ ତ୍ୱରାନ୍ୱିତ ନକରିବେ ତେବେ ଜିଲ୍ଲା ପରିବେଶ ଅତିଁ ଖରାପ ହେବା ସହ ଭୟାବହ ପରିସ୍ଥିତି ସୃଷ୍ଟି ହେବ ।











