maa mangala vihar

ରାସ୍ତାରେ ଟ୍ରାନ୍ସଫର୍ମର, ସଭିଙ୍କ ଆଖିରେ ଅନ୍ଧପୁଟୁଳି!

0

ଅନୁଗୁଳ: ଜନଗହଳିପୂର୍ଣ୍ଣ ବଜାର ମଧ୍ୟରେ ରାସ୍ତା ପାର୍ଶ୍ଵରେ, ସରକାରୀ ଜାଗାରେ ସ୍ଥାପନ ହୋଇଛି ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ୍ ଟ୍ରାନ୍ସଫର୍ମର । ପୁଣି ଏକ ବ୍ୟବସାୟିକ ସଂସ୍ଥା ସାର୍ଥରେ । ନିଜ ସୀମାରେ ବହୁତଳ ପ୍ରାସାଦ ନିର୍ମାଣ ପରେ ସରକାରୀ ଜାଗାରେ ବସିଛି ଟ୍ରାନ୍ସଫର୍ମର, ଜନସାଧାରଣଙ୍କୁ ବିପଦମୁହଁ କୁ ଠେଲି । ବିଦ୍ୟୁତ୍ ବିଭାଗ ଓ ପୌରପାଳିକା ଅହେତୁକ ଅନୁଗ୍ରହ ପୂର୍ବକ ଏଥିଲାଗି ଅନୁମତି ଦେଇଥିବା ବେଳେ କେହି ଅଭିଯୋଗ କରୁନଥିବା ଦର୍ଶାଇ ଟିପିସି ଓଡ଼ିଏଲ୍ ନିଜ ମୁଣ୍ଡରୁ ଦାୟିତ୍ବ ଖସାଇ ଦେଇଛି । ସେହିପରି ସ୍ଥାନୀୟ ଲୋକ ଅଭିଯୋଗ କଲେଣି କହି ପୌରପାଳିକା ନୋଟିସ୍ କରିବ ବୋଲି ପ୍ରକାଶ କରିଛି । ଅନୁଗୁଳ ଶଙ୍କର ସିନେମା ରୋଡ଼ରେ ଗାନ୍ଧୀଛକ ନିକଟରେ ନିର୍ମାଣାଧୀନ ଏକ ବ୍ୟବସାୟିକ ଅଟ୍ଟାଳିକା ନିକଟରେ ଏକ ଟ୍ରାନ୍ସଫର୍ମର ସ୍ଥାପନ ନେଇ ବିଦ୍ୟୁତ୍ ବିଭାଗ ଓ ପୌରପାଳିକା ପକ୍ଷରୁ ଏଭଳି ଭିନ୍ନ ମତ ପ୍ରକାଶ ପାଇଛି । କେବଳ ଏହି ଗୋଟିଏ ଘଟଣା ନୁହେଁ, ପୂର୍ବରୁ ମଧ୍ୟ ବିଦ୍ୟୁତ୍ ବିଭାଗ ଓ ପୌରପାଳିକା ବ୍ୟବସାୟିକ ସଂସ୍ଥା ପ୍ରତି ଅନୁକମ୍ପା ଦେଖାଇବାର ଅନେକ ନଜିର ରହିଛି । ବଜାର ଛକର ଏକ ବ୍ୟବସାୟିକ ସଂସ୍ଥା ପାଇଁ ପୁରୁଣା ସୂଚନା କେନ୍ଦ୍ର ପରିସରରେ ଟ୍ରାନ୍ସଫର୍ମର ସ୍ଥାପନ କରି ମୁକୁଳା ଛାଡ଼ି ଦିଆଯାଇଛି । ଏ ନେଇ ତତ୍କାଳୀନ ସୂଚନା ଅଧିକାରୀ ପ୍ରତିବାଦ ଜଣାଇଥିଲେ ହେଁ କେହି କର୍ଣ୍ଣପାତ କରିନଥିଲେ । ଶଙ୍କର ସିନେମା ରୋଡ଼ ରେ ଟ୍ରାନ୍ସଫର୍ମର, ଜେନେରେଟର୍ ଆଦି ରାସ୍ତା ପାର୍ଶ୍ଵରେ ସରକାରୀ ଜାଗାରେ ସ୍ଥାପନ କରାଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନାହିଁ ।

ପୂର୍ବରୁ ଅନୁଗୁଳ ବସଷ୍ଟାଣ୍ଡର ଜନଗହଳିପୂର୍ଣ୍ଣ ସ୍ଥାନରେ ଖୋଦ୍ ରାସ୍ତା ଉପରେ ଦୁଇଟି ଖୁଣ୍ଟ ପୋତି ଟ୍ରାନ୍ସଫର୍ମର ସ୍ଥାପନକୁ ନେଇ ବିରୋଧ ହେବାରୁ ସ୍ଥାନାନ୍ତର କରିବାକୁ ବାଧ୍ୟ ହୋଇଥିବା ବ୍ୟବସାୟିକ ପ୍ରତିଷ୍ଠାନ । ଟ୍ରାନ୍ସଫର୍ମର ସ୍ଥାପନ ପୂର୍ବରୁ ବିଦ୍ୟୁତ୍ ବିଭାଗ ଓ ପୌରପାଳିକା ପକ୍ଷରୁ ଅନୁମତି ମିଳିଥାଏ। ଅଥଚ ଗାଇଡ୍ ଲାଇନ୍ ଉଲ୍ଲଂଘନ କରି ଟ୍ରାନ୍ସଫର୍ମର ସ୍ଥାପନ ହୋଇଗଲା, ପୌର ପ୍ରଶାସନ ଜାଣି ପାଣିଲାନି ? ଏ ସମ୍ପର୍କରେ ଟିପିସିଓଡିଏଲ୍ ଅନୁଗୁଳ ଡିଭିଜର ନିର୍ବାହୀ ଯନ୍ତ୍ରୀ ସୁବ୍ରତ ସାହୁଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି, ଜେଇ, ଏସଡିଓ ଏ ନେଇ ବୁଝାସୁଝା କରୁଛନ୍ତି । ତାଙ୍କୁ କେହି ଏ ସମ୍ପର୍କରେ ଅଭିଯୋଗ କରିନାହାନ୍ତି । ସରକାରୀ ଅବା ଘରୋଇ ଜାଗାରେ ନିର୍ବାହୀଯନ୍ତ୍ରୀଙ୍କ ଅଜାଣତରେ ଟ୍ରାନ୍ସଫର୍ମର ବସିବା ସନ୍ଦେହ ସୃଷ୍ଟି କରିଛି । ସେପଟେ ଜଣେ ପୌର କର୍ମଚାରୀ କହିଛନ୍ତି, ରାସ୍ତାରେ ଟ୍ରାନ୍ସଫର୍ମର ବସିବା ନେଇ ସ୍ଥାନୀୟ ଲୋକ ଅଭିଯୋଗ କଲେଣି, ଖୁବ୍ ଶୀଘ୍ର ନୋଟିସ୍ କରାଯିବ।

Leave A Reply

Your email address will not be published.