ଅନୁଗୋଳ: ସାତକୋଶିଆ ଅଭୟାରଣ୍ୟରେ ସୁରକ୍ଷା ଦାୟିତ୍ୱରେ ଥିବା କର୍ମଚାରୀଙ୍କ ସମ୍ପୃକ୍ତିରେ ହରିଣ ଶିକାର ଘଟଣା ସାମ୍ନାକୁ ଆସିଛି। ଅଭୟାରଣ୍ୟ ଭିତରେ ହରିଣ ମାରି ମାଂସ ରୋଷେଇ କରି ଖାଉଥିବା ବେଳେ ବନ ବିଭାଗ ଚଢ଼ଉ କରି ୪ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଟିକରପଡ଼ା ରେଞ୍ଜର ୱାଚର କୁଳମଣି ନାୟକ ଓ ପ୍ରତାପ ଦେହୁରୀ ଅଛନ୍ତି। ସେହିପରି ଅନ୍ୟ ଦୁଇ ଶିକାରୀ ହେଲେ ଶିବପ୍ରସାଦ ନାୟକ ଓ ଯୋଗେନ୍ଦ୍ର ପାଇକରା।
ସୂଚନା ଅନୁଯାୟୀ, ଟିକରପଡ଼ା ରେଞ୍ଜ ମଝିପଡ଼ା ସେକ୍ସନରେ ଅଭିଯୁକ୍ତମାନେ ହରିଣ ଶିକାର କରି ମାଂସ ରାନ୍ଧୁଥିବା ବେଳେ ରେଞ୍ଜ ଅଫିସର ସୁମନ୍ତ ମହାକୁଡ଼ ଏବଂ ତାଙ୍କ ଟିମ୍ ଚଢ଼ଉ କରିଥିଲେ।
ଚଢ଼ଉ ସମୟରେ ଘଟଣାସ୍ଥଳରୁ ହରିଣ ମୁଣ୍ଡ ଓ ରୋଷେଇ ହୋଇଥିବା ମାଂସ ଜବତ କରାଯାଇଛି। ତେବେ ଏହି ଘଟଣାରେ ସାମିଲ ଥିବା ଜଣେ ଅଭିଯୁକ୍ତ ଚକମା ଦେଇ ଫେରାର୍ ହୋଇଯାଇଥିବା ବେଳେ ତାକୁ ଧରିବା ପାଇଁ ବନ ବିଭାଗର ତନାଘନା ଜାରି ରହିଛି। ଗିରଫ ହୋଇଥିବା ୪ ଜଣଙ୍କୁ ଆଜି କୋର୍ଟଚାଲାଣ କରାଯାଇଛି। ସୁରକ୍ଷାକର୍ମୀଙ୍କ ଏଭଳି କାର୍ଯ୍ୟକଳାପ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।











