ଅନୁଗୋଳ: ସ୍ଥାନୀୟ ପି.ଏମ୍. ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ୭୭ତମ ବନମହୋତ୍ସବ ଅତ୍ୟନ୍ତ ଉତ୍ସାହର ସହ ପାଳିତ ହୋଇଛି। ବାମୁର ବନାଞ୍ଚଳ କାର୍ଯ୍ୟାଳୟର ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବୃକ୍ଷରୋପଣକୁ ଏକ ଜନଆନ୍ଦୋଳନରେ ପରିଣତ କରିବା ପାଇଁ ଆହ୍ୱାନ ଦିଆଯାଇଥିଲା।
ବିଦ୍ୟାଳୟର ପ୍ରଧାନଶିକ୍ଷକ ଅଶୋକ କୁମାର ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବାମୁର ବନାଞ୍ଚଳ ଅଧିକାରୀ ସ୍ୱାଧୀନ ସାମଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବୃକ୍ଷରୋପଣର ଆବଶ୍ୟକତା ଓ ପରିବେଶ ସୁରକ୍ଷା ଉପରେ ଗୁରୁତ୍ୱାରୋପ କରିଥିଲେ। ସେ କହିଥିଲେ, “ଗଛ ଆମର ପରମ ବନ୍ଧୁ, ଏହାର ସୁରକ୍ଷା ଦାୟିତ୍ୱ ଆମ ସମସ୍ତଙ୍କର।”
କାର୍ଯ୍ୟକ୍ରମରେ ବନରକ୍ଷୀ ଲୋପାମୁଦ୍ରା ସାହୁ, ଅନୀତା ବେହେରା, ସଂଯୋଜକ ତାପସ ରଞ୍ଜନ କର, ବାସୁଦେବ ଚାଉଳିଆ ଓ ଉନ୍ନୟନ ଅଧିକାରୀ ବିନୀତା ତିର୍କୀ ଓ ପ୍ରୀତି ପରମାଣିକ ପ୍ରମୁଖ ଉପସ୍ଥିତ ରହି ଚାରା ରୋପଣ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସ୍କୁଲର ଶିକ୍ଷକ, କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ବହୁ ସଂଖ୍ୟାରେ ଏଥିରେ ଅଂଶଗ୍ରହଣ କରି ବିଦ୍ୟାଳୟ ପରିସରରେ ବିଭିନ୍ନ କିସମର ଚାରା ରୋପଣ କରିଥିଲେ।











