ବନ୍ତଳା: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ଖାଲ ଗାଁରେ ରବିବାର ବିଳମ୍ବିତ ରାତିରେ ବଧୁ ନିର୍ଯାତନା ମାମଲା ନେଇ ତୁମୁଳ କାଣ୍ଡ ହୋଇଛି। ଭିଣୋଇ ଟାଙ୍ଗିଆ ଚୋଟରେ ଶଳା ଗୁରୁତର ହୋଇଥିବା ବେଳେ ଶଶୁର ମାଡ଼ରେ ଜ୍ବାଇଁ ଓ ସମୁଦି ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ଖାଲ ଗାଁର ସଞ୍ଜୟ ସାହୁ ଓ ତାଙ୍କ ବାପା ବଂଶୀଧର ସାହୁ ଓ ମା’ ସୁଫଳା ସାହୁ ବୋହୁ ଲିଜା ସାହୁଙ୍କୁ ନିର୍ଯାତନା ଦେଇ ଆସୁଥିଲେ। ଏ ନେଇ ଥାନାରେ ମିଳାମିଶା ହୋଇଥିଲା। କିନ୍ତୁ ରବିବାର ରାତିରେ ସଞ୍ଜୟ ତାଙ୍କ ସ୍ତ୍ରୀ ଲିଜାଙ୍କୁ ମାଡ଼ପିଟ କରିଥିଲେ। ଏ ନେଇ ଲିଜା ତାଙ୍କ ବାପା ବିଜୟ ସାହୁଙ୍କୁ ଜଣାଇଥିଲେ। ସୂଚନା ପାଇ ବିଜୟ. ତାଙ୍କ ପୁଅ ବିରେନ, ସ୍ତ୍ରୀ କୁଙ୍କୁମ ଓ ଅନ୍ୟକିଛି ଲୋକଙ୍କୁ ଧରି ସଞ୍ଜୟଙ୍କ ଘରେ ପହଞ୍ଚିଥିଲେ। ଏହା ଦେଖି ସଞ୍ଜୟ ଏକ ଟାଙ୍ଗିଆରେ ତାଙ୍କ ଶଳା ବିରେନଙ୍କୁ ଆକ୍ରମଣ କରିଥିଲେ। ଫଳରେ ବିରେନ୍ ଗୁରୁତର ଆହତ ହୋଇଥିଲେ। ପୁଅ ବିରେନ୍ ଆହତ ହେବା ଦେଖି ବିଜୟ ଉତ୍କ୍ଷିପ୍ତ ହୋଇ ଜ୍ବାଇଁ ସଞ୍ଜୟ, ସମୁଦି ବଂଶୀଧରଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଫଳରେ ସଞ୍ଜୟ ଓ ବଂଶୀଧର ଗୁରୁତର ଆହତ ହୋଇଥିଲେ। ବିରେନ୍, ସଞ୍ଜୟ ଓ ବଂଶୀଧରଙ୍କୁ ଅନୁଗୁଳ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏ ନେଇ ସଞ୍ଜୟଙ୍କ ମା’ ବନ୍ତଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅନ୍ୟ ପକ୍ଷରେ ସଞ୍ଜୟଙ୍କ ସ୍ତ୍ରୀ ଲିଜା ମଧ୍ୟ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇ ପୁଲିସ ୨ଟି ମାମଲା ରୁଜୁକରି ମଙ୍ଗଳବାର ବିଜୟଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି।
ଶଶୁର ମାଡ଼ରେ ଜ୍ବାଇଁ ଓ ସମୁଦି ଗୁରୁତର
- Post published:July 6, 2022
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Angul TV Bureau
