ଅନୁଗୁଳ: ଦଶ ଦଫା ଦାବି ନେଇ ଆଜି ରାଜ୍ୟ ଡ୍ରାଇଭର ସଂଘ ଅନିର୍ଦ୍ଦିଷ୍ଟ କାଳ ଯାଏଁ ଆନ୍ଦୋଳନକୁ ଓହ୍ଲାଇଛି। ଆସନ୍ତା ୪୮ ଘଣ୍ଟା ଭିତରେ ଦାବି ପୂରଣ ନହେଲେ ପରିସ୍ଥିତି ଅଣାୟତ୍ତ ହେବ ବୋଲି ସଂଘ କହିଛି।
ଆନ୍ଦୋଳନ ନେଇ ଅନୁଗୁଳ ଟ୍ରକ ମାଲିକ ସଂଘ ସଭାପତି ଅମ୍ବିକା ପ୍ରସାଦ ଭଟ୍ଟ ଏଟିଭିକୁ କହିଛନ୍ତି କି ସଂଘର ପ୍ରାୟ ୧୫୦୦ ଟ୍ରକ ଆଜି ଠିଆ ହୋଇଛି। ସେହିଭଳି ତାଳଚେରରେ ଧର୍ମଘଟ ଯୋଗୁଁ ୨ ହଜାରରୁ ଅଧିକ ଟ୍ରକ ଠିଆ ହୋଇଛନ୍ତି। ମୋଟ ଉପରେ ଆଜି କୋଇଲା ପରିବହନ, ଆଲୁମିନିୟମ ଓ ଅନ୍ୟାନ୍ୟ ମାଲ ପରିବହନ ବନ୍ଦ ହୋଇଯାଇଛି। ଶ୍ରୀ ଭଟ୍ଟ ସରକାରଙ୍କୁ ଅନୁରୋଧ କରିଛନ୍ତି କି ଯଥାଶୀଘ୍ର ଆନ୍ଦୋଳନକୁ ରୋକିବା ପାଇଁ ପଦକ୍ଷେପ ନିଆଯାଉ।
ସେହିପରି ଓଡ଼ିଶା ମୋଟର ଚାଳକ ସଂଘ ରାଜ୍ୟ ସଭାପତି ଅକ୍ଷୟ ନାଏକ କହିଛନ୍ତି, ସରକାରଙ୍କ ପକ୍ଷରୁ ସମାଧାନ ନେଇ କେହି ଆନ୍ତରିକତା ଦେଖାଉ ନାହାନ୍ତି। ତେଣୁ ଆନ୍ଦୋଳନକୁ ଜୋରଦାର କରାଯିବ।
ଅନ୍ୟପଟେ ଅନୁଗୁଳ ଡେଲି ମାର୍କେଟ ବ୍ୟବସାୟୀମାନେ ଅଭିଯୋଗ କରିଛନ୍ତି କି ଡାଲା ଟେମ୍ପୁ ବନ୍ଦ ଯୋଗୁଁ ଟ୍ରଲି ରିକ୍ସାରେ ମାଲ ଆଣିବା ମହଙ୍ଗା ପଡୁଛି। ୪୮ ଘଣ୍ଟା ଭିତରେ ସମାଧାନ ନ ହେଲେ ଆଳୁ ପିଆଜ ସାଙ୍ଗକୁ ଅନ୍ୟାନ୍ୟ ଜିନିଷର ଦର ବଢିବା ନିଶ୍ଚିତ। ତେଣୁ ସରକାର ଏ ଦିଗରେ କିଛି ପ୍ରତିକାର କରିବାକୁ ବ୍ୟବସାୟୀମାନେ ଦାବି କରିଛନ୍ତି।