ଅନୁଗୁଳ: କରୋନା ମହାମାରୀ ଯୋଗୁ ରାଜ୍ୟରେ ଚଳିତ ଶିକ୍ଷାବର୍ଷରେ ପାଠପଢ଼ା ଗୁରୁତର ଭାବରେ ପ୍ରଭାବିତ ହୋଇଛି । କିନ୍ତୁ ଚଳିତ ଶିକ୍ଷାବର୍ଷରେ ହିଁ ହେବ ମାଟ୍ରିକ ବୋର୍ଡ ଓ ଯୁକ୍ତ ଦୁଇ ପରୀକ୍ଷା । ଏହି ସୂଚନା ଦେଇଛନ୍ତି ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ।
ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି, ପରୀକ୍ଷା ହେବ । କିନ୍ତୁ ବିଳମ୍ବିତ ହୋଇପାରେ । ସର୍ବନିମ୍ନ ୩ ମାସ ପାଠପଢା ହେବା ପରେ ପରୀକ୍ଷା ବ୍ୟବସ୍ଥା କରାଯିବ । ଯଦି ସର୍ବଭାରତୀୟ ସ୍ତରରେ ପରୀକ୍ଷା ବନ୍ଦ ନିଷ୍ପତ୍ତି ହୁଏ, ତାହେଲେ ପରୀକ୍ଷା ବନ୍ଦ ହୋଇପାରେ ।ଏହାସହ ମନ୍ତ୍ରୀ କହିଛନ୍ତି, ରାଜ୍ୟ ସରକାର ନିଜ ଆଡୁ ପରୀକ୍ଷା ବନ୍ଦ କରିବେ ନାହିଁ । ଯଦି ପରୀକ୍ଷା ବନ୍ଦ କରାଯାଏ ଛାତ୍ରଛାତ୍ରୀ ଗୋଟିଏ ବର୍ଷ ପଛୁଆ ହୋଇଯିବେ। ଆସନ୍ତା ଡିସେମ୍ବର ୩୧ ତାରିଖ ଯାଏଁ ରାଜ୍ୟରେ ସମସ୍ତ ସ୍କୁଲ ବନ୍ଦ ରହିଛି । କରୋନା ଯୋଗୁ ରାଜ୍ୟରେ ମାର୍ଚ୍ଚ ମାସରୁ ବନ୍ଦ ରହିଛି ଶିକ୍ଷାନୁଷ୍ଠାନ । ଏବେ ଛାତ୍ରଛାତ୍ରୀ ଅନଲାଇନରେ ପାଠ ପଢୁଛନ୍ତି । ସଂକ୍ରମଣ ବଢୁଥିବାରୁ ସରକାର ଡିସେମ୍ବର ୩୧ ଯାଏ ସ୍କୁଲ କଲେଜକୁ ବନ୍ଦ ରଖିଛନ୍ତି ।

Next Post