+୨ ବିଜ୍ଞାନ ପାଠ୍ୟପୁସ୍ତକ ବଣ୍ଟନ ଓ ଶିକ୍ଷକ ପ୍ରଶିକ୍ଷଣ କର୍ମଶାଳା ଆୟୋଜିତ

You are currently viewing +୨ ବିଜ୍ଞାନ ପାଠ୍ୟପୁସ୍ତକ ବଣ୍ଟନ ଓ ଶିକ୍ଷକ ପ୍ରଶିକ୍ଷଣ କର୍ମଶାଳା ଆୟୋଜିତ

ଅନୁଗୁଳ: ମାତୃଭାଷାରେ ବିଜ୍ଞାନ ଶିକ୍ଷାକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ଅନୁଗୁଳ ଜିଲ୍ଲା ଶିକ୍ଷାଧିକାରୀଙ୍କ ସମ୍ମିଳନୀ କକ୍ଷରେ ଏକ ଗୁରୁତ୍ୱପୂର୍ଣ୍ଣ କର୍ମଶାଳା ଅନୁଷ୍ଠିତ ହୋଇଛି। ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଓଡ଼ିଆ ଭାଷାରେ ଲିଖିତ ବିଜ୍ଞାନ ପାଠ୍ୟପୁସ୍ତକ ପ୍ରଚଳନ ସମ୍ପର୍କରେ ଏଠାରେ ବିସ୍ତୃତ ଆଲୋଚନା କରାଯାଇଥିଲା।

ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ମଧୁସ୍ମିତା ନନ୍ଦଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥାର ସଦସ୍ୟ ବିଜୟ କୁମାର ପ୍ରଧାନ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ। ବିଜ୍ଞାନ ଶିକ୍ଷା କ୍ଷେତ୍ରରେ ଭାଷା ଯେପରି ପ୍ରତିବନ୍ଧକ ନସାଜେ, ସେଥିପାଇଁ ବୈଜ୍ଞାନିକ ଶବ୍ଦାବଳିର ସରଳ ଓଡ଼ିଆ ରୂପାନ୍ତର ଓ ମାନକୀକରଣ ଉପରେ ସେ ଗୁରୁତ୍ୱାରୋପ କରିଥିଲେ।
ସରକାରୀ ବିଦ୍ୟାଳୟର ପିଲାଙ୍କ ପାଇଁ ଡାକ୍ତରୀ ଓ ଇଞ୍ଜିନିୟରିଂ ନାମଲେଖାରେ ୧୫% ସଂରକ୍ଷଣ ସୁବିଧା ରହିଛି। ଏହାସହ ପ୍ରବେଶିକା ପରୀକ୍ଷା ଓ IAS, OAS ଭଳି ନିଯୁକ୍ତି ପରୀକ୍ଷା ପ୍ରଶ୍ନପତ୍ର ଓଡ଼ିଆରେ ଆସୁଥିବାରୁ, ଓଡ଼ିଆରେ ବିଜ୍ଞାନ ପଢ଼ିବା ଦ୍ୱାରା ପିଲାଙ୍କ ସ୍ୱପ୍ନ ସାକାର ହେବାରେ ସହଜ ହେବ ବୋଲି ଶ୍ରୀ ପ୍ରଧାନ କହିଥିଲେ। ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଅମ୍ବୁଜ କୁମାର ଗଡ଼ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ବିଭିନ୍ନ କଲେଜର ଅଧ୍ୟକ୍ଷ ଓ ଶିକ୍ଷକମାନେ ଏଥିରେ ଉପସ୍ଥିତ ଥିଲେ।

Share

Leave a Reply