ଅନୁଗୁଳ: ଅନୁଗୁଳ ଅଡହକ୍ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ପିଆର ବହିଦାର ଶନିବାର ଛେଣ୍ଡିପଦା ଥାନାର ଏକ ଦୁଷ୍କର୍ମ ମାମଲାର ଅଭିଯୁକ୍ତଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।
ସୂଚନା ମୁତାବକ, ୨୦୧୩ ମସିହା ଅକ୍ଟୋବର ୨୯ ତାରିଖ ସନ୍ଧ୍ୟା ୭ଟାରେ ଛେଣ୍ଡିପଦା ଥାନା ଅଞ୍ଚଳର ଜଣେ ୧୬ ବର୍ଷର ନାବାଳିକା ତାଙ୍କ ଘର ବାଡ଼ିକୁ ଯାଇଥିବା ବେଳେ ତାଙ୍କୁ ବାଗେଡ଼ିଆ ଗାଁର କ୍ରିଷ୍ଣା ଓରଫ କାଳିଆ ବେହେରା(୩୨) ମୁହଁରେ ଏକ କଳା କପଡ଼ାରେ ଘୋଡ଼ାଇ ଯୋର ଜବର ଏକ ଜିପ୍ରେ ବସାଇ ଏକ ଅଜଣା ସ୍ଥାନକୁ ନେଇ ଯାଇଥିଲେ। ସେଠାରେ ସେ ପାଟି କରିବାରୁ କାଳିଆ ଛୁରି ଦେଖାଇ ଜୀବନରେ ମାରିଦେବାକୁ ଧମକ ଦେଇ ଚୁପ ରହିବାକୁ କହିଥିଲେ। ଏହାପରେ କାଳିଆ ନାବାଳିକାଙ୍କୁ ପ୍ରଥମେ ଝାରସୁଗୁଡ଼ା ଓ ପରେ ବଣେଇରେ ୧୫ ଦିନ ନେଇ ରଖିଥିଲେ। ସେଠାରେ ଧମକାଇ ନାବାଳିକାଙ୍କ ସହ ଶାରିରିକ ସମ୍ପର୍କ ରଖିଥିଲେ।
ଏ ନେଇ ନାବାଳିକାଙ୍କ ପରିବାର ତରଫରୁ ୨୦୧୩ ଅକ୍ଟୋବର ୩୧ତାରିଖରେ ଛେଣ୍ଡିପଦା ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। ଅଭିଯୋଗ ପାଇବାପରେ ପୁଲିସ ଥାନା କେସ ନଂ ୨୧୦/୧୩ରେ ଦଫା ୩୬୩, ୩୭୬(୨)(ଆଇ) ଓ ପକ୍ସୋ ଆଇନର ଧାରା ୬ରେ ମମଲା ରୁଜୁକରି ଅଭିଯୁକ୍ତ କିଷ୍ଣା ଓରଫ କାଳିଆ ବେହେରା(୩୨)ଙ୍କୁ ବଣେଇରୁ ଗିରଫକରି ନାବାଳିକାଙ୍କୁ ଉଦ୍ଧାର କରିଥିଲା। ପରେ କାଳିଆଙ୍କୁ କୋର୍ଟ ଚାଲାଣ କରିଥିଲା।
ଏହି ମାମଲାଲେ ବିଚାରପତି ଶ୍ରୀ ବହିଦାର ସମସ୍ତ ସାକ୍ଷୀ ଓ ଦଲିଲକୁ ଭିତ୍ତିକରି ଦଫା ୩୭୬(୨)(ଆଇ) ଓ ପୋକ୍ସୋ ଆଇନର ଧାରା ୬ ପାଇଁ ୨୦ ବର୍ଷ ସଶ୍ରମ କାରାଦଣ୍ଡସହ ୧୦ ହଜାର ଟଙ୍କା ଜୋରିମାନା। ଜୋରିମାନା ଅନାଦେୟ ହେଲେ ୨ ମାସ କାରାଦଣ୍ଡ ଭୋଗିବେ। ସେହିଭଳି ଦଫା ୩୬୩ ପାଇଁ ୩ ବର୍ଷ ସଶ୍ରମ କାରାଦଣ୍ଡସହ ୫ ହଜାର ଟଙ୍କା ଜୋରିମାନା। ଜୋରିମାନା ଅନାୟେ ହେଲେ ୧ ମାସ କାରାଦଣ୍ଡ ଭୋଗିବେ। ଜୋରିମାନା ଆଦାୟ ହେଲେ ଏହି ଅର୍ଥ ପିଡ଼ୀତାଙ୍କ ଭରଣ ପୋଷଣ ପାଇଁ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସରକାରଙ୍କ ତରଫରୁ ଏହି ମାମଲା ସ୍ବତନ୍ତ୍ର ପିପି ସୁଶାନ୍ତ କୁମାର ମିଶ୍ର ପରିଚାଳନା କରିଥିଲେ।











