ଅନୁଗୁଳ : ଅନୁଗୁଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ ମାଟିଆସାହି ନିକଟରେ ଗତ ରବିବାର ଧାନ ବିଲରୁ ଏକ ଦନ୍ତା ହାତୀର ମୃତ ଦେହ ଠାବ ହେବା ପରେ ବନ ବିଭାଗ ସନ୍ଦେହରେ ୫ ଜଣଙ୍କୁ ଅଟକ ରଖିଛି। ଏମାନଙ୍କ ପାଖରୁ ୩ ଦେଶୀ ବନ୍ଧୁକ ସହ ଗୁଳି ଜବତ ସୂଚନା ମିଳିଛି। ଏହି ଘଟଣାରେ ଆଉ ଅଧିକ ବ୍ୟକ୍ତି ସଂଶ୍ଲିଷ୍ଟ ଥିବା ବନ ବିଭାଗ ସନ୍ଦେହ କରୁଛି। ଏହି ଘଟଣାର ତଦନ୍ତ ଭାର ଅତିରିକ୍ତ ବନ ସଂରକ୍ଷକ ନେଇଛନ୍ତି। ଖୁବଶୀଘ୍ର ଏହି ଘଟଣା ଉପରୁ ପରଦା ଉଠିବ ବୋଲି ବନ ଅଧିକାରୀ କହିଛନ୍ତି।
ସୂଚନା ମୁତାବକ, ଗତ ରବିବାର ଉଦ୍ଧାର ହୋଇଥିବା ହାତୀର ମୃତ ଦେହର ବେକ, କାନ ଓ ମୁଣ୍ଡରେ ଗୁଳି ବାଜିବା ଭଳି କ୍ଷତ ରହିଥିବା ବେଳେ ରକ୍ତସ୍ରାବ ହେଉଥିଲା। ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ନଥିଲେ ହେଁ ହାତୀ ଶରୀରରେ ଥିବା କ୍ଷତରୁ ଏହା ହତ୍ୟା ହୋଇଥିବା ସନ୍ଦେହ କରାଯାଉଥିଲା। ଏହି ଘଟଣାକୁ ବନବିଭାଗ ଗୁରୁତର ସହ ନେବା ସହ (ଜେଟିଏଫ) ସହାୟତାରେ ତଦନ୍ତକୁ ଆଗକୁ ବଢ଼ାଇଛି। ଘଟଣା ସ୍ଥଳରୁ ନମୁନା ସଂଗ୍ରହ କରି ପରୀକ୍ଷା ନିରୀକ୍ଷା ପାଇଁ ପଠା ଯାଇଥିବା ବେଳେ ସାତକୋଶିଆ ପ୍ରାଣୀ ଡାକ୍ତରଙ୍କ ଦ୍ଵାରା ହାତୀର ଶବ ବ୍ୟବଚ୍ଛେଦ ହୋଇଛି।