ଅନୁଗୁଳ: ପ୍ରାକଗର୍ଭାବସ୍ଥା ଓ ଗର୍ଭସ୍ଥ ଶିଶୁର ଲିଙ୍ଗ ନିରୁପଣ ସମ୍ପର୍କୀତ ଜିଲ୍ଲା ସ୍ତରୀୟ ପରାମର୍ଶଦାତା କମିଟି ବୈଠକ ଶୁକ୍ରବାର ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଅନୁଷ୍ଠିତ ଏହି ବୈଠକରେ ଶିଶୁ କନ୍ୟା ସଂଖ୍ୟା ବଢାଇବା ନିମନ୍ତେ ଚାଲୁଥିବା ବିଭିନ୍ନ କାର୍ଯ୍ୟକ୍ରମକୁ ଆନ୍ତରିକତାର ସହିତ କାର୍ଯ୍ୟକାରୀ କରିବାକୁ ଗୁରୁତ୍ବ ଦିଆଯାଇଥିଲା। ଜିଲ୍ଲାରେ ଚିହ୍ନଟ ହୋଇଥିବା ୩୯ଟି ରେଡ୍ ଜୋନ୍(ଶିଶୁ କନ୍ୟା ଅନୁପାତ ଯେଉଁଠି କମ୍ ଅଛି) ଅଞ୍ଚଳରେ ଗଠନମୁଳକ କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିବାକୁ ସ୍ଥିର କରାଗଲା। ଜିଲ୍ଲାରେ ସଚେତନତା କାର୍ଯ୍ୟକ୍ରମରେ କନ୍ୟା ସନ୍ତାନର ଗୁରୁତ୍ବକୁ ଉପଲବଧି କରିବା ପାଇଁ ୧୪୮୦ଟି କନ୍ୟା ସନ୍ତାନ ସଚେତନତା ସୂଚନା ସ୍ତମ୍ଭକୁ ବିଭିନ୍ନ ସ୍ବାସ୍ଥ୍ୟ ଅନୁକେନ୍ଦ୍ରରେ ସ୍ଥାପନ କରାଯିବ। ଜିଲ୍ଲାର ବିଭିନ୍ନ ଅଲଟ୍ରାସାଉଣ୍ଡ କ୍ଲିନିକ୍ ଗୁଡିକରେ ଷ୍ଟିଙ୍ଗ୍ ଅପରେସନ ମାଧ୍ୟମରେ ଅତର୍କିତ ଚଢାଉ ଏବଂ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ସ୍ଥିର କରାଗଲା। ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଅନୁରୋଧ କ୍ରମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଲଟ୍ରାସାଉଣ୍ଡ ମେସିନକୁ ଅପ୍ଗ୍ରେଡେ କରିବା ନିମନ୍ତେ ସର୍ବ ସମ୍ମତି କ୍ରମେ ନିଷ୍ପତ୍ତି ନିଆଗଲା। ପ୍ରାରମ୍ଭରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ତ୍ରିଲୋଚନ ପ୍ରଧାନ ସମସ୍ତଙ୍କୁ ସ୍ବାଗତ ଜଣାଇବା ସହ ବୈଠକର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ପିସିପିଏନଡିଟିର କାର୍ଯ୍ୟକ୍ରମ ସହାୟକ ପର୍ଶୁରାମ ପଣ୍ଡା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡା ଦିଲ୍ଲିପ କୁମାର ପଟ୍ଟନାୟକ, ପୂର୍ବତନ ପୌରାଧ୍ୟକ୍ଷା ସୁକାନ୍ତି ଦାସ, ବିଶ୍ବ ଯୁବ କେନ୍ଦ୍ରର ସମ୍ପାଦକ ମନୋଜ ମହାପାତ୍ର, ସ୍ବେଛାସେବୀ ଜ୍ୟୋତିର୍ମୟୀ ଦେହୁରୀ ପ୍ରମୁଖ ଯୋଗ ଦେଇଥିଲେ।
ଗର୍ଭସ୍ଥ ଶିଶୁର ଲିଙ୍ଗ ନିରୁପଣ ସମ୍ପର୍କୀତ ପରାମର୍ଶଦାତା କମିଟି ବୈଠକ
- Post published:January 8, 2022
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau

Tags: Angul