ଜିଲ୍ଲାରେ କାୟା ବଢ଼ାଉଛି ଏଡ଼ସ!

୨୦୨୪-୨୫ରେ ୨୩ ମୃତ

0

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ଶିଳ୍ପ ଖଣି ଖାଦାନ ବଢ଼ିବାରେ ଲାଗିଛି,ମୁଣ୍ଡ ପିଛା ରୋଜଗାର ବଢ଼ିଛି ଆଉ ତା ସହିତ ତାଳ ଦେଇ ପ୍ରଦୂଷଣ ଓ ବିଭିନ୍ନ ରୋଗ ମଧ୍ୟ ବଢ଼ି ଚାଲିଛି। ଏହି ରୋଗ ମଧ୍ୟରେ ଏଡ଼ସ ତାର କାୟା ବଢ଼ାଇବାକୁ ଆରମ୍ଭ କରିଛି।ଏଡ଼ସ ନିୟନ୍ତ୍ରଣ କାର୍ଯ୍ୟକ୍ରମ ମଧ୍ୟ ତାଳ ଦେଇ ଚାଲୁଥିବା ବେଳେ ରୋଗର ବୃଦ୍ଧି ହାର କମିଥିଲେ ମଧ୍ୟ ଆଶାନୁରୂପ ସଫଳତା ମିଳୁନାହିଁ।ଏବେ ମଧ୍ୟ ରୋଗ ହେଲେ ରୋଗୀ ଏବଂ ତା ପରିବାର ତଥ୍ୟ ଲୁଚାଉଛନ୍ତି ଯାହା ନିୟନ୍ତ୍ରଣ କାର୍ଯ୍ୟକ୍ରମରେ ବାଧା ସୃଷ୍ଟି କରୁଛି।

ଦୃତ ଶିଳ୍ପାୟନ ଯୋଗୁଁ ଅନ୍ୟ ରାଜ୍ୟରୁ ଶ୍ରମିକ ବିଶେଷ କରି ଟ୍ରକ୍ ଚାଳକ ଏବଂ ହେଲ୍ପର ଏହି ରୋଗର ଶିକାର ହେବାରେ ଅଧିକ ସମ୍ଭାବନା ଦେଖା ଦେଇଛି। ୨୦୦୩ ମସିହାରୁ ଏପର୍ଯ୍ୟନ୍ତ ୧୨,୨୯,୨୧୬ ଜଣଙ୍କୁ ଏଡ଼ସ ସଚେତନ ପରାମର୍ଶ ଦିଆଯାଇଥିବା ବେଳେ କେବଳ ୨୦୨୪-୨୫ ରେ ୧୨୬୦୪୮ ଜଣଙ୍କୁ ପରାମର୍ଶ ଦିଆଯାଇଛି। ସମସ୍ତ ଲୋକଙ୍କ ରକ୍ତ ପରୀକ୍ଷା ମଧ୍ୟ କରାଯାଉଛି। ୨୦୨୪-୨୫ ରେ ୯୯ ଜଣ ପୁରୁଷ,୩୧ ଜଣ ମହିଳା ଓ ୨ ଜଣ ଶିଶୁ ଏହିଭଳି ମୋଟ ୧୩୨ ଜଣ ଏହି ମହାମାରୀର ଶିକାର ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ଅନୁଗୁଳ ଜିଲ୍ଲାରେ ଏଡ଼ସରେ ୬୬୪ ଜଣଙ୍କ ମୃତ୍ୟୁ ହୋଇ ଥିବା ବେଳେ ଚଳିତ ବର୍ଷ ୨୩ ଜଣଙ୍କର ମୃତ୍ୟୁ ହୋଇଛି।ସର୍ବଶେଷ ତଥ୍ୟ ଅନୁସାରେ ଅନୁଗୁଳ ବ୍ଲକରେ ବର୍ତ୍ତମାନ ୫୨୫ ଜଣ ଏଚଆଇଭି ପୋଜିଟିଭ ଥିବା ବେଳେ,ବଅଁରପାଳରେ ୪୦୯, ତାଳଚେରରେ ୫୦୬,ପାଲଲହଡ଼ାରେ ୭୦,କିଶୋରନଗରରେ ୨୦୩,କଣିହାଁରେ ୧୨୯,ଆଠମଲ୍ଲିକରେ ୧୪୩,ଛେଣ୍ଡିପଦାରେ ୨୩୨ ଜଣ ଥିବା ବେଳେ ଅନ୍ୟ ରାଜ୍ୟର ୫୦୭ ଜଣ ଏହିଭଳି ମୋଟ ୨୭୨୪ ଜଣ ପୋଜିଟିଭ ରୋଗୀ ରହିଛନ୍ତି।

ପୀଡ଼ିତ ମାନଙ୍କୁ ଏଆରଟି ସେଣ୍ଟରରୁ ଔଷଧ ଦିଆଯାଉଛି। ସେହିଭଳି ପୀଡ଼ିତ ମାନଙ୍କୁ ମୋ କୁଡିଆ,ବିଜୁ ପକ୍କା ଘର,ମଧୁବାବୁ ପେନସନ ଯୋଜନାରେ ଭତ୍ତା ମଧ୍ୟ ଯୋଗାଇ ଦିଆଯାଉଛି। ଆଗାମୀ ଦଶନ୍ଧିରେ ଜିଲ୍ଲାରେ ଶିଳ୍ପାୟନ ଅଧିକ ବେଗ ଧରିବାର ଥିବାରୁ ଏଡ଼ସ ନିୟନ୍ତ୍ରଣ କାର୍ଯ୍ୟକ୍ରମକୁ ଅଧିକ ଜୋରଦାର କରାଯିବାର ସମୟ ଆସିଛି ।

Leave A Reply

Your email address will not be published.

error: Content is protected !!