ଅନୁଗୋଳ: ଜିଲ୍ଲାକୁ ନିଶାମୁକ୍ତ କରିବା ଲକ୍ଷ୍ୟରେ ଆଜି ଅନୁଗୋଳ ସ୍ଥିତ ଜିଲ୍ଲାପାଳ ଅଫିସଠାରେ ଜିଲ୍ଲାସ୍ତରୀୟ NCORD ବୈଠକ ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଅବଦାଲ୍ ମୁହମ୍ମଦ ଅଖତରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଜିଲ୍ଲାରୁ ନିଶା କାରବାରକୁ ସମ୍ପୂର୍ଣ୍ଣ ମୂଳପୋଛ କରିବା ପାଇଁ ବିସ୍ତୃତ ଆଲୋଚନା କରାଯାଇଛି।
ବୈଠକରେ ଅନୁଗୋଳ ଏସ୍ପି ରାହୁଲ ଜୈନ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ ମଦନ ମୋହନ ପ୍ରଧାନ (CDMO), ଅବକାରୀ ଅଧୀକ୍ଷକ, ଡ୍ରଗ୍ସ ଇନ୍ସପେକ୍ଟର ଓ ବନ ବିଭାଗର ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ। ମୁଖ୍ୟତଃ ନିଶା ଦ୍ରବ୍ୟର ଚୋରା ଚାଲାଣ ରୋକିବା, ଅବୈଧ ଗଞ୍ଜେଇ ଚାଷ ଉଚ୍ଛେଦ ଏବଂ ନିଶା ବିରୋଧୀ ଅଭିଯାନକୁ ଅଧିକ କଡାକଡି କରିବା ନେଇ ରଣନୀତି ପ୍ରସ୍ତୁତ କରାଯାଇଛି।
ଏଥିସହିତ ସ୍କୁଲ, କଲେଜ ଓ ସାଧାରଣ ଜନତାଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏବଂ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବା ଉପରେ ଗୁରୁତ୍ୱାରୋପ କରାଯାଇଛି। ‘ନିଶାମୁକ୍ତ ଅନୁଗୋଳ’ ଓ ‘ନିଶାମୁକ୍ତ ଓଡ଼ିଶା’ ଗଠନ ପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସ ବିଭାଗ ସମ୍ପୂର୍ଣ୍ଣ ପ୍ରତିବଦ୍ଧ ବୋଲି ବୈଠକରେ ପ୍ରକାଶ ପାଇଛି।











