ଅନୁଗୁଳ: ଜମିବାଡ଼ି ବିବାଦରୁ ଖଣ୍ଡଯୁଦ୍ଧ। ବଡ଼ ଭାଇର ଟାଙ୍ଗିଆ ଚୋଟରେ ସାନଭାଇ ଓ ଭାଇବୋହୂ ଗୁରୁତର। ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ଶଙ୍ଖପୁର ପଞ୍ଚାୟତ ଖାଲଗାଁ ଉପର ସାହିରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।
ସୂଚନା ମୁତାବକ, ଶୁକ୍ରବାର ସକାଳେ ସାନଭାଇ ବାଉରି ଜ୍ୟୋତିଷ(୬୦) ଦାଣ୍ଡ ଦୁଆର ଅଳିଆ ସଫା କରୁଥିଲେ। ଏହି ସମୟରେ ବଡ଼ଭାଇ ଦାଶରଥୀ ଜ୍ୟୋତିଷ (୭୦) ବିଭିନ୍ନ ଅଶ୍ଳୀଳ ଭାଷାରେ ତାଙ୍କୁ ଗାଳିଗୁଲଜ କରିଥିଲେ। ବଚସା ବଢ଼ିବାରୁ ବଡ଼ଭାଇ ଘରୁ ଏକ ଟାଙ୍ଗିଆ ଆଣି ସାନଭାଇର ବେକରେ ୩ଚୋଟ ଓ ଡାହାଣ ହାତରେ ଗୋଟିଏ ଚୋଟ ପକାଇଥିଲା। ତାଙ୍କ ପାଟିତୁଣ୍ଡ ଶୁଣି ଘରୁ ଭାଇବୋହୂ କାମିନୀ (୫୫) ଆସିଥିଲେ। ତାଙ୍କୁ ମଧ୍ୟ ମାରିବାକୁ ଦାଶରଥୀ ଚୋଟେ ପକାଇଥିଲେ। ଫଳରେ ତାଙ୍କ ବାମ ହାତରେ ଟାଙ୍ଗିଆ ଚୋଟ ବାଜିଛି। ତେବେ ଜମିବାଡ଼ି ବିବାଦରୁ ଏହି କାଣ୍ଡ ହୋଇଥିବା ଜଣାଯାଇଛି।
କାମିନୀ ଓ ବାଉରୀଙ୍କୁ ବନ୍ତଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ବାଉରୀଙ୍କୁ ଅଧିକ ଚିକିତ୍ସା ପାଇଁ ଅନୁଗୁଳ ଓ ପରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଏନେଇ ବନ୍ତଳା ଥାନାରେ କାମିନୀ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରି ଦାଶରଥୀକୁ ଥାନାକୁ ଆଣି ତଦନ୍ତ ଜାରି ରଖିଛି।