ଅନୁଗୁଳ: ପୁଣି ରାସ୍ତା କାମରେ ଅନିୟମିତତା ଅଭିଯୋଗ। ଠିକ ଭାଗମାପରେ, ଉଚିତ ନିୟମରେ ନ କରି ମନଇଚ୍ଛା କାମ କରାଯାଉଥିବା ନେଇ ପୂର୍ତ୍ତ ବିଭାଗ ନାଁରେ ଅଭିଯୋଗ କରିଛନ୍ତି ସ୍ଥାନୀୟ ଅନୁଗୁଳ ବ୍ଲକ ଖିଣ୍ଡା ପଞ୍ଚାୟତବାସୀ।
ପଞ୍ଚାୟତବାସୀଙ୍କ ଅଭିଯୋଗ ଅନୁସାରେ, କଲେଇପଦା ଛକ ଠାରୁ ନୂଆ କ୍ଷେତା ପର୍ଯ୍ୟନ୍ତ ପୂର୍ତ୍ତ ବିଭାଗ ରାସ୍ତାର ଉନ୍ନତିକରଣ, ପ୍ରଶସ୍ତିକରଣ ଓ ସଶକ୍ତିକରଣ କାର୍ଯ୍ୟ ଚାଲୁ ରହିଛି। ଏହି ରାସ୍ତାର ଉଭୟ ପାର୍ଶ୍ଵରେ ୩ଫୁଟ ଚଉଡ଼ାର ପ୍ରଶସ୍ତୀକରଣ କାର୍ଯ୍ୟରେ ନିମ୍ନମାନ ଓ ଜାଲିଆତି ହେଉଛି। ଉଭୟ ପାର୍ଶ୍ଵ ସଂପ୍ରସାରଣ ପାଇଁ ୩ଫୁଟ ଚଉଡ଼ା ଓ ୧ଫୁଟ ଗଭୀର ମାଟି ଖୋଳା ଯାଇଛି। ଏଥିରେ ତଳେ ବାଲି, ତାପରେ ମେଣ୍ଟାଲ ଓ କ୍ରସରଗୁଣ୍ଡ ମିଶ୍ରଣ ହୋଇପଡ଼ିଲା ପରେ ରୁଲରିଂ କରାଯିବା ନିୟମ ରହିଛି। କିନ୍ତୁ ଠିକାଦାର ମନଇଚ୍ଛା କାମ କରୁଛି। ରାସ୍ତାରେ କେତେକ ସ୍ଥାନରେ କେବଳ କ୍ରସରଗୁଣ୍ଡ ପକାଇ କାମ କରୁଛି ତ ଆଉ କିଛି ସ୍ଥାନରେ ମାଟି ପକାଇ ମାତ୍ର ୪/୫ଇଞ୍ଚ ମୋଟେଇ ମେଣ୍ଟାଲ/କ୍ରସରଗୁଣ୍ଡ ମିଶ୍ରଣ ପକାଇ ତାଳିପକା କାମ କରୁଛି। ଏଥିପ୍ରତି ବିଭାଗୀୟ ଅଧିକାରୀ ଦୃଷ୍ଟିଦେଇ କାର୍ଯ୍ୟସ୍ଥଳରେ ତଦାରଖ ନକଲେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି କଲେଇପଦା, ଜାମୁଣ୍ଡା, ଗଡ଼ତରସ ଓ ନୂଆକ୍ଷେତା ଗ୍ରାମବାସୀ ଅଭିଯୋଗ କରିଛନ୍ତି।