ଅନୁଗୁଳ : ଅନୁଗୁଳ ଜିଲ୍ଲା ସାନକନ୍ତକୂଳ ଗାଁର ଦୁଇ ଯାଆଁଳା ଭଉଣୀ ସୁଚରିତା ଓ ସୁଚିସ୍ମିତା ପ୍ରଧାନ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଦଶମ ପରୀକ୍ଷାରେ A1 ଗ୍ରେଡ ରଖି କୃତିତ୍ବ ଅର୍ଜନ କରିଛନ୍ତି। ଅନୁଗୁଳ ଗାନ୍ଧୀମାର୍ଗ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ରୀ ହେଉଛନ୍ତି ଦୁଇ ଭଉଣୀ। ସେମାନଙ୍କ କୃତିତ୍ବକୁ ନେଇ କେବଳ ପରିବାରବର୍ଗ ନୁହଁନ୍ତି ବିଦ୍ୟାଳୟର ଗୁରୁଜୀ-ଗୁରୁମା ମାନେ ମଧ୍ୟ ବେଶ ଗର୍ବିତ। ଦୁଇ ଝିଅଙ୍କ ସଫଳତାରେ ତାଙ୍କ ପରିବାର ସହ ପୂରା ଗାଁରେ ଖୁସିର ଲହରୀ ଖେଳିଯାଇଛି। ସଫଳତା ପରେ ସବୁଠି ଉଭୟଙ୍କ ପାଖକୁ ଶୁଭେଚ୍ଛା ଓ ଅଭିନନ୍ଦନ ଛୁଟୁଛି।
ସାନକନ୍ତକୂଳ ଗାଁର ଅଭିମନ୍ୟୁ ପ୍ରଧାନ ଓ ଗୀତାଞ୍ଜଳି ପ୍ରଧାନଙ୍କ ଯମଜ ଝିଅ ହେଉଛନ୍ତି ସୁଚରିତା ଓ ସୁଚିସ୍ମିତା। ତିନି ଝିଅ ଓ ଗୋଟିଏ ପୁଅକୁ ନେଇ ଅଭିମନ୍ୟୁ ଓ ଗୀତାଞ୍ଜଳୀଙ୍କ ପରିବାର । ଦୁଇ ଯାଆଁଳା ଝିଅଙ୍କ ସଫଳତାକୁ ନେଇ ବାପା-ମା’ ବେଶ ଗର୍ବିତ। ଝିଅଙ୍କୁ ଆଗକୁ ବଢିବା ପାଇଁ ସବୁ ସମୟରେ ପ୍ରୋତ୍ସାହିତ କରିଆସିଛନ୍ତି । ଝିଅଙ୍କ ସ୍ବପ୍ନ ସାକାର ପାଇଁ ଉଭୟ ବଦ୍ଧ ପରିକର। ଦୁଇ ଝିଅଙ୍କ ଏହି କୃତିତ୍ବ ଯୋଗୁଁ ପରିବାରରେ ସମସ୍ତେ ଖୁସି । ତେବେ ଉଭୟଙ୍କ କୃତିତ୍ବକୁ ନେଇ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ନିଜର ଖୁସି ଜାହିର କରିଥିବାବେଳେ ଉଭୟଙ୍କ ସଫଳତା ପାଇଁ ବିଦ୍ୟାଳୟ ଗର୍ବିତ ବୋଲି କହିଛନ୍ତି ଶୁଭେଚ୍ଛା ଓ ଅଭିନନ୍ଦନ ଏହା ସହ ସେମାନଙ୍କର ଉତ୍ତରୋତ୍ତର ଉନ୍ନତି କାମନା କରିଛନ୍ତି।











