ଅନୁଗୁଳ: ଘର ଉପରେ ଛିଣ୍ଡି ପଡ଼ିଲା ୧୧କେଭିର ଇଲେକ୍ଟ୍ରିକ ତାର। ଅଳ୍ପକେ ବର୍ତ୍ତିଗଲେ ୬୦ ପରିବାର ସହ ଗାଈ ଗୋରୁ। ଅନୁଗୁଳ ବ୍ଲକ ଶାବଳଭଙ୍ଗା ଗ୍ରାମରେ ଏଭଳି ଘଟଣା ଘଟିଛି।
ସୂଚନା ମୁତାବକ, ସୋମବାର ସନ୍ଧ୍ୟାରେ ମନ୍ଦିର ସାହିଠାରୁ ୬୦ ପରିବାରଙ୍କ ଘର ଉପର ଦେଇ ଯାଇଥିବା ୧୧କେଭିର ବିଦ୍ୟୁତ୍ ତାର ଲକ୍ଷଣ ବେହେରାଙ୍କ ଘର ଉପରେ ଛିଣ୍ଡି ପଡ଼ିଥିଲା। ଜୋରରେ ଶବ୍ଦ ହେବାରୁ ଭୟରେ ଲକ୍ଷଣଙ୍କ ସମେତ ସାହିର ଲୋକେ ବାହାରକୁ ବାହାରି ଆସିଥିଲେ। ତାର ଛିଣ୍ଡି ନିଆଁ ବାହାରୁଥିବାର ଦେଖି ଲୋକେ ବାହାରକୁ ବାହାରି ଆସିବା ସହ ପାଖ ଗୁହାଳରୁ ଗୋରୁଙ୍କୁ ଫିଟାଇ ଦେଇଥିଲେ। ଫଳରେ କାହାର କିଛି କ୍ଷତି ହୋଇ ନାହିଁ
ଖବର ପାଇ ବିଦ୍ୟୁତ୍ କର୍ମଚାରୀ ପହଞ୍ଚି ପୁଣି ଘର ଉପରେ ତାର ଟାଣିବାକୁ ଚେଷ୍ଟା କରୁଥିବା ବେଳେ ଲୋକେ ଘର ଉପରେ ତାର ଟାଣିବାକୁ ମନା କରିଥିଲେ। ପାଟିତୁଣ୍ଡ ହେବାରୁ ବିଦ୍ୟୁତ୍ କର୍ମଚାରୀ ରାତିରେ ପଳାଇ ଆସିଥିଲେ।
ମଙ୍ଗଳବାର ସକାଳେ ପୁଣି ଘଟଣାସ୍ଥଳରେ ବିଦ୍ୟୁତ୍ କର୍ମଚାରୀ ପହଞ୍ଚିଥିଲେ ମଧ୍ୟ ଲୋକେ ଅନ୍ୟତ୍ର ଖୁଣ୍ଟକୁ ଉଠାଇ ତାର ଟାଣିବାକୁ ଜିଦ୍ ଧରିଥିଲେ। ଲୋକଙ୍କ ଜିଦ୍ ପାଇଁ ବିଦ୍ୟୁତ୍ ବିଭାଗ କର୍ମଚାରୀ ମାନେ ତାର ଟାଣି ପାରି ନ ଥିବା ଜଣାଯାଇଛି।