ଅନୁଗୋଳ: ଆଧୁନିକ ଯୁଗରେ ମଧ୍ୟ ଦୁର୍ଗମ ଅଞ୍ଚଳରେ ରାସ୍ତା ଅଭାବ ଯୋଗୁଁ କିଭଳି ଜୀବନ ବିପଦରେ ପଡ଼ୁଛି, ତାହାର ଏକ ଦୁଃଖଦ ଚିତ୍ର ଅନୁଗୋଳ ଜିଲ୍ଲା ପାଳଲହଡ଼ା ବ୍ଲକରୁ ସାମ୍ନାକୁ ଆସିଛି। ନଗିରା ପଞ୍ଚାୟତ ନମଗାଁ ସାହିରେ ରାସ୍ତା ନ ଥିବାରୁ ଚିକିତ୍ସା ସୁବିଧା ନ ପାଇ ଜଣେ ଗର୍ଭବତୀ ମହିଳା ଘରେ ହିଁ ପ୍ରସବ କରିଛନ୍ତି।
ସୂଚନା ଅନୁଯାୟୀ, ନମଗାଁ ସାହିର ଦୁର୍ଗା ସୋଏଙ୍କ ସ୍ତ୍ରୀ ସମ୍ବାରି ମୁଣ୍ଡାଙ୍କ ପ୍ରସବ ବେଦନା ଆରମ୍ଭ ହୋଇଥିଲା। ମାତ୍ର ନାଗିରା ଗାଁରୁ ସାହିକୁ ଭଲ ରାସ୍ତା ନ ଥିବାରୁ ଆମ୍ବୁଲାନ୍ସ ପହଞ୍ଚିପାରି ନ ଥିଲା। ଫଳରେ ସେ ଘରେ ହିଁ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ପ୍ରସବ ପରେ ମା’ ଅସୁସ୍ଥ ହେବାରୁ ଆମ୍ବୁଲାନ୍ସକୁ ଖବର ଦିଆଯାଇଥିଲା। କିନ୍ତୁ ରାସ୍ତା ନ ଥିବାରୁ ଆମ୍ବୁଲାନ୍ସ ଗାଁଠାରୁ ପ୍ରାୟ ୨ କିଲୋମିଟର ଦୂରରେ ଅଟକି ରହିଥିଲା। ଶେଷରେ ପରିବାରବର୍ଗ ଓ ଗ୍ରାମବାସୀ ବାଧ୍ୟ ହୋଇ ସମ୍ବାରିଙ୍କୁ ଖଟିଆରେ ବୋହି ୨ କିଲୋମିଟର ଦୂରକୁ ଆଣିବା ପରେ କେନ୍ଦୁଝର ଜିଲ୍ଲା ବାଂଶପାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।
ଏହି ଅଞ୍ଚଳରେ ଗର୍ଭବତୀ ଓ ରୋଗୀଙ୍କୁ ଖଟିଆରେ ବୋହିବା ନିୟମିତ ଘଟଣା ପାଲଟିଛି। ଦୀର୍ଘଦିନରୁ ପକ୍କା ରାସ୍ତା ଦାବି ହେଉଥିଲେ ମଧ୍ୟ ସମାଧାନ ହୋଇନାହିଁ। ଘଟଣା ସମ୍ପର୍କରେ ଖମାର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଶଶିକାନ୍ତ ବେହେରା କୌଣସି ସୂଚନା ନାହିଁ ଏବଂ ଖବର ନେଇ କହିବେ ବୋଲି ପ୍ରକାଶ କରିଛନ୍ତି।











