ଅନୁଗୁଳ: ସର୍ବଭାରତୀୟ ବ୍ୟବସାୟୀ ସଂଘ (ସିଏଆଇଟି) ପକ୍ଷରୁ ଚଳିତ ମାସ ୨୬ ତାରିଖରେ ବନ୍ଦ ଡାକରା ପରିପ୍ରେକ୍ଷୀରେ ଅନୁଗୁଳ ବ୍ୟବସାୟୀଙ୍କର ଏକ ବୈଠକ ସ୍ଥାନୀୟ ମାରୱାଡ଼ି ଧର୍ମଶାଳାଠାରେ ଅନୁଷ୍ଠିତ ହୋଇଯାଇଛି । ବ୍ୟବସାୟୀଙ୍କ ପକ୍ଷରୁ ସିଏଆଇଟିକୁ ସମର୍ଥନ ଜଣାଇ ବନ୍ଦରେ ସାମିଲ ହେବାକୁ ନିଷ୍ପତ୍ତି ହୋଇଥିଲା । ଏଥିସହିତ ବ୍ୟବସାୟୀଙ୍କ ନାନାବିଧ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା।୨୦୧୭ ମସିହା ଜୁଲାଇ ୧ ତାରିଖଠାରୁ କେନ୍ଦ୍ର ସରକାର ସାରା ଭାରତରେ ଏକ ଦେଶ ଏକ ଟିକସ ନାମରେ ଦ୍ରବ୍ୟ ଏବଂ ସେବାକର ଆଇନ (ଜିଏସଟି ) ଲାଗୁ କରିଛନ୍ତି । କିନ୍ତୁ ଜିଏସଟିକୁ ସରକାର ନିଜର ତଥା ନିଜ କର୍ମଚାରୀଙ୍କ ସୁବିଧା ସକାଶେ ପ୍ରାୟ ୯୫୦ ଥର ପରିବର୍ତ୍ତନ କରି ଏହାର ମୂଳ ସ୍ବରୂପକୁ ସମ୍ପୂର୍ଣ ଭାବେ ବଦଳାଇ ଦେଇ ଥିବା ବ୍ୟବସାୟୀ ଅଭିଯୋଗ କରିଛନ୍ତି। କାଳକ୍ରମେ ଏହା ଏକ ବ୍ୟବସାୟୀ ତଥା ଜନସାଧାରଣ ବିରୋଧୀ ଆଇନରେ ପରିଣତ ହେଲାଣି । କେତେକ କ୍ଷେତ୍ରରେ ବ୍ୟବସାୟୀଙ୍କୁ ଟିକସର ଇନପୁଟ ନମିଳିବା ଏବଂ ଦୁଇ ଥର ଟିକସ ଦେବାକୁ ପଡ଼ୁଥିବାରୁ ଏହାକୁ ଘୋର ବିରୋଧ କରାଯାଇଛି । ସେହିପରି ଅନଲାଇନ୍ ବ୍ୟବସାୟ ଉପରେ ଆଜି ପର୍ଯ୍ୟନ୍ତ ସରକାର କୌଣସି ନିର୍ଦ୍ଦିଷ୍ଟ ଆଇନ ପ୍ରବର୍ତ୍ତନ କରିନାହାନ୍ତି । ଯାହାଦ୍ଵାରା ଅନ୍ଲାଇନ କମ୍ପାନୀ ଅଫ ଲାଇନ ବ୍ୟବସାୟୀଙ୍କ ବ୍ୟବସାୟ ବନ୍ଦ କରିବା ପାଇଁ ନାନା ପ୍ରକାର ଚକ୍ରାନ୍ତ କରି ଗ୍ରାହକ ମାନଙ୍କୁ ଭ୍ରମିତ କରୁଛନ୍ତି । ଖାଦ୍ୟ ନିରାପତ୍ତା ମାନ ଆଇନ (ଏଫ୍ଏସ୍ ଏସ୍ ଏଆଇ) ଆଇନରେ ପ୍ରତ୍ୟେକ ବର୍ଷ ନୂତନ ଭାବେ ଅନୁମତି ନେବା ଏବଂ ନିର୍ଦ୍ଦିଷ୍ଟ ତାରିଖରୁ ବିଳମ୍ବ ହେଲେ ପ୍ରତ୍ୟେକ ଦିନ ଏକ ଶହ ଟଙ୍କାର ଜରିମାନା ଭଳି କଠୋର ନିୟମକୁ ବ୍ୟବସାୟୀ ସଂଘ ବିରୋଧ କରୁଛି ବୋଲି ବୈଠକରେ ଉପସ୍ଥିତ ଅଶୋକ ମାଣ୍ଡୋଠିଆ, ଅମ୍ବିକା ଭଟ୍ଟ, ରାଜ କୁମାର ଶୁକ୍ଳ।, ଜିତେନ୍ଦ୍ର ଗୁପ୍ତା, ରଣଜିତ୍ ମାଣ୍ଡାଠିଆ, ନିଲୁ ଧଳ ପ୍ରମୁଖ ପ୍ରକାଶ କରିଛନ୍ତି ।
1
f600b249-5c54-442c-a949-d6bc81000fab