ଅନୁଗୋଳ: ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ଅନ୍ତର୍ଗତ କଂସମୁଣ୍ଡା ଜୟପୁର ସାହିରେ ସୋମବାର ଇଲେକ୍ଟ୍ରିକ୍ ସ୍କୁଟି ବ୍ୟାଟେରିରେ ସର୍ଟ ସର୍କିଟ୍ ଘଟି ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏହି ସମୟରେ ଘର ଭିତରେ ବାପା ଓ ପୁଅ ଫସି ରହିଥିଲେ।
ସୂଚନାଯୋଗ୍ୟ ଯେ, ଅଗ୍ନିକାଣ୍ଡ ସମୟରେ ମୁନା ଦେହୁରୀ (୩୨) ଏବଂ ତାଙ୍କ ୭ ବର୍ଷର ପୁତ୍ର ରାକେଶ ଦେହୁରୀ ଘର ଭିତରେ ଥିଲେ। ଖବର ପାଇ କଣିହାଁ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ହାବିଲଦାର ସମୀର ପ୍ରଧାନଙ୍କ ନେତୃତ୍ୱରେ କର୍ମଚାରୀମାନେ ଅତି ତତ୍ପରତାର ସହ ନିଆଁକୁ ଆୟତ କରିବା ସହ ଉଭୟ ବାପା-ପୁଅଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ।
ଏହି ଅଗ୍ନିକାଣ୍ଡରେ ଇଲେକ୍ଟ୍ରିକ୍ ସ୍କୁଟିଟି ସମ୍ପୂର୍ଣ୍ଣ ଜଳି ପାଉଁଶ ହୋଇଯାଇଥିବା ବେଳେ ଅଗ୍ନିଶମ ବାହିନୀର ସାହସିକତା ଯୋଗୁ ଏକ ବଡ଼ଧରଣର ଅଘଟଣରୁ ପ୍ରାଣରକ୍ଷା ହୋଇପାରିଛି। କଣିହାଁ ପୁଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।











