୨୦୩୨ ସୁଦ୍ଧା କାର୍ଯ୍ୟକ୍ଷମ ହେବ ତାଳଚେର-ପାରାଦ୍ୱୀପ/ଧାମରା ଜଳପଥ: ଢେଙ୍କାନାଳ ସାଂସଦଙ୍କୁ ପତ୍ର ଲେଖି ସ୍ପଷ୍ଟ କଲେ କେନ୍ଦ୍ରମନ୍ତ୍ରୀ ଶାନ୍ତନୁ ଠାକୁର

You are currently viewing ୨୦୩୨ ସୁଦ୍ଧା କାର୍ଯ୍ୟକ୍ଷମ ହେବ ତାଳଚେର-ପାରାଦ୍ୱୀପ/ଧାମରା ଜଳପଥ: ଢେଙ୍କାନାଳ ସାଂସଦଙ୍କୁ ପତ୍ର ଲେଖି ସ୍ପଷ୍ଟ କଲେ କେନ୍ଦ୍ରମନ୍ତ୍ରୀ ଶାନ୍ତନୁ ଠାକୁର

ଅନୁଗୋଳ: ଢେଙ୍କାନାଳ ଲୋକସଭା କ୍ଷେତ୍ର ପାଇଁ ବହୁ ପ୍ରତୀକ୍ଷିତ ତାଳଚେର-ପାରାଦ୍ୱୀପ/ଧାମରା ଜାତୀୟ ଜଳପଥ-5 ପ୍ରକଳ୍ପ ୨୦୩୨ ସୁଦ୍ଧା ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହେବ। ଏନେଇ କେନ୍ଦ୍ର ପୋର୍ଟ, ପରିବହନ ଓ ଜଳମାର୍ଗ ରାଜ୍ୟମନ୍ତ୍ରୀ ଶାନ୍ତନୁ ଠାକୁର ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣିଙ୍କୁ ପତ୍ର ଲେଖି ସୂଚନା ଦେଇଛନ୍ତି।

ସାଂସଦ ଶ୍ରୀ ପାଣି ବିଗତ କିଛି ଦିନ ପୂର୍ବେ ମନ୍ତ୍ରୀଙ୍କୁ ପତ୍ର ଲେଖିବା ସହ ଲୋକସଭାରେ ନିୟମ ୩୭୭ ଅନୁଯାୟୀ ଏହି ପ୍ରସଙ୍ଗ ଉଠାଇଥିଲେ। ତାଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ଠାକୁର କହିଛନ୍ତି ଯେ, ଜାତୀୟ ଜଳପଥ-୫ ର ତାଳଚେରରୁ ପାରାଦୀପ-ଧାମରା ୩୩୨ କିମି ଅଂଶ ପାଇଁ ବିସ୍ତୃତ ପ୍ରକଳ୍ପ ରିପୋର୍ଟ DPR କାର୍ଯ୍ୟ ସମାପ୍ତ ହୋଇସାରିଛି। ଏହା ସହିତ ଅର୍ଥମନ୍ତ୍ରୀଙ୍କ ବଜେଟ ଭାଷଣରେ ଘୋଷଣା ହୋଇଥିବା ପ୍ରସ୍ତାବକୁ ଆନ୍ତଃ-ମନ୍ତ୍ରଣାଳୟ ପରାମର୍ଶ (IMC) ପାଇଁ ଦାଖଲ କରାଯାଇଛି। ସରକାରଙ୍କ ଅନୁମୋଦନ ପରେ କାମ ଆରମ୍ଭ ହେବ ଏବଂ ୨୦୩୨ ସୁଦ୍ଧା ପ୍ରକଳ୍ପକୁ ସମ୍ପୂର୍ଣ୍ଣ କରିବାର ଲକ୍ଷ୍ୟ ରଖାଯାଇଛି।

ମନ୍ତ୍ରୀ ଚିଠିରେ ଆହୁରି ଲେଖିଛନ୍ତି ଯେ, ଏହି ପ୍ରସଙ୍ଗ ଗୁରୁତ୍ୱପୂର୍ଣ୍ଣ ଏବଂ ସାଂସଦଙ୍କ ପରାମର୍ଶ ପାଇଁ ସେ ଧନ୍ୟବାଦ ଜଣାଉଛନ୍ତି।
ଉଲ୍ଲେଖଯୋଗ୍ୟ, ପୂର୍ବତନ ଭୂପୃଷ୍ଠ ପରିବହନ ମନ୍ତ୍ରୀ ସ୍ୱର୍ଗତ ଡଃ ଦେବେନ୍ଦ୍ର ପ୍ରଧାନ ଅଟଳ ବିହାରୀ ବାଜପେୟୀ ସରକାର ସମୟରେ ଏହି ଜଳପଥ ପାଇଁ ଯୋଜନା କରିଥିଲେ। ବର୍ତ୍ତମାନ ତାହା ବାସ୍ତବ ରୂପ ନେବାକୁ ଯାଉଛି।

ଏହି ଜଳପଥ କାର୍ଯ୍ୟକ୍ଷମ ହେଲେ ଢେଙ୍କାନାଳ ସମେତ ସମଗ୍ର ଅନୁଗୋଳ ଜିଲ୍ଲାର ଶିଳ୍ପ ଓ ବାଣିଜ୍ୟରେ ବ୍ୟାପକ ପରିବର୍ତ୍ତନ ଆସିବ ବୋଲି ଆଶା କରାଯାଉଛି।

Share

Leave a Reply