ଅନୁଗୋଳ: ଅନୁଗୋଳ ଜିଲ୍ଲା ରେଙ୍ଗାଳି ଥାନା ଅନ୍ତର୍ଗତ ପୋଡ଼ାଗଡ଼ ଗ୍ରାମରେ ଲଗାଣ ବର୍ଷା ଯୋଗୁଁ ଏକ ଅଭାବନୀୟ ଘଟଣା ଘଟିଛି। ତାରିଣୀ ମନ୍ଦିର ନିକଟରେ ଥିବା ଏକ ବିରାଟ ପୁରୁଣା ବରଗଛ ଭାଙ୍ଗି ଘର ଉପରେ ପଡ଼ିଯିବାରୁ ଘରେ ଶୋଇଥିବା ନାବାଳକ ତାପସ ନାଏକ ଆହତ ହୋଇଛନ୍ତି। ତାଙ୍କ ଭଉଣୀ ଶାଲିନୀ ନାଏକ ଅଳ୍ପକେ ରକ୍ଷା ପାଇଯାଇଛନ୍ତି। ପରିବାର ଲୋକେ ତାପସଙ୍କୁ ଉଦ୍ଧାର କରି ରେଙ୍ଗାଳି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଗଛ ଭାଙ୍ଗି ପଡ଼ିବା ଯୋଗୁଁ ଘରଟି ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଭିତରେ ଥିବା ଆସବାବପତ୍ର ମଧ୍ୟ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଏହି ଗଛ ଭାଙ୍ଗିବା ଯୋଗୁଁ ଗ୍ରାମର ମିଶନ ଶକ୍ତି ଗୃହ ସମେତ ଆଉ ୩ ଟି ପରିବାର ତିନି ବଖରା ଘର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି।
ଘରଗୁଡ଼ିକର ଛାତ ଓ କାନ୍ଥ ଭାଙ୍ଗିଯିବା ସହ ଭିତରେ ଥିବା ଘରୋଇ ସାମଗ୍ରୀ ନଷ୍ଟ ହୋଇଥିବା ଜଣାପଡ଼ିଛି। ଘଟଣା ପରେ ସ୍ଥାନୀୟ ଲୋକେ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲେ। ଲଗାଣ ବର୍ଷା ଯୋଗୁଁ ଅଞ୍ଚଳର ପୁରୁଣା ଓ ବିରାଟ ଗଛଗୁଡ଼ିକ ବିପଦସଙ୍କୁଳ ଅବସ୍ଥାରେ ଥିବାରୁ ଏଗୁଡ଼ିକୁ ତୁରନ୍ତ ଚିହ୍ନଟ କରି ଆବଶ୍ୟକ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି।











