ଲଗାଣ ବର୍ଷାରେ ଉବୁଟୁବୁ ତାଳଚେର: ଆଣ୍ଠୁଏ ଆଣ୍ଠୁଏ ପାଣି, ରାସ୍ତାଘାଟ ବନ୍ଦ, ଜନଜୀବନ ଅସ୍ତବ୍ୟସ୍ତ

You are currently viewing ଲଗାଣ ବର୍ଷାରେ ଉବୁଟୁବୁ ତାଳଚେର: ଆଣ୍ଠୁଏ ଆଣ୍ଠୁଏ ପାଣି, ରାସ୍ତାଘାଟ ବନ୍ଦ, ଜନଜୀବନ ଅସ୍ତବ୍ୟସ୍ତ

ଅନୁଗୋଳ: ଗତ ୨ ଦିନ ଧରି ହେଉଥିବା ଲଗାଣ ବର୍ଷା ଯୋଗୁଁ ତାଳଚେର ସହରାଞ୍ଚଳ ଠାରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ସ୍ଥିତି ବେହାଲ ହୋଇପଡ଼ିଛି। ସବୁଠି ଆଣ୍ଠୁଏ ଆଣ୍ଠୁଏ ପାଣି ଜମିଥିବା ବେଳେ ଲୋକେ ଘରୁ ବାହାରିପାରୁନାହାନ୍ତି। ବିଲମାଳ, କୂଅପୋଖରୀ, ହ୍ରଦ, ନାଳ ସହିତ ବ୍ରାହ୍ମଣୀ ନଦୀ ମଧ୍ୟ ଦୁଇକୂଳ ଖାଇବାକୁ ଲାଗିଛି। ବର୍ଷା କମିବାର ନାଁ ନେଉନଥିବାରୁ ଅତି ଜରୁରୀକାଳୀନ କାର୍ଯ୍ୟ ମଧ୍ୟ ଠପ୍ ହୋଇଯାଇଛି।

ସହରର ସମସ୍ତ ରାସ୍ତାଘାଟ ବର୍ଷା ଜଳରେ ପୂର୍ଣ୍ଣ। ଫଳରେ ଦୁଇଚକିଆ ଯାନ ଚଳାଉଥିବା ବେଳେ ମୁହଁ ମାଡି ହୋଇ ପଡ଼ୁଥିବା ଦୃଶ୍ୟ ଦେଖିବାକୁ ମିଳିଛି। ବଳରାମ ଖଣି ନିକଟରେ ପାଣିର ସୁଅରେ ଗୋଟିଏ ବାଇକ୍ ଭସିଯିବାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ବାଇପାସ୍ ରାସ୍ତାରେ କୋଇଲା କାଦୁଅ ବହଳ ହୋଇଯାଇଛି। ବାଙ୍କଧରା ଛକ ଠାରୁ ଚାଇଁପାଳ ପର୍ଯ୍ୟନ୍ତ ଏବଂ ସହରର ଗଳିକନ୍ଦି ଗୁଡ଼ିକର ଅବସ୍ଥା ମଧ୍ୟ ସମାନ। ଜାତୀୟ ରାଜପଥରେ ଯାତାୟତ ଯମଯନ୍ତ୍ରଣା ପାଲଟିଛି। ଡ୍ରେନ ଜଳ ରାସ୍ତା ଉପରକୁ ଚାଲି ଆସିବାରୁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି। ଲଗାଣ ବର୍ଷା ଯୋଗୁଁ ଗତ ୨ ଦିନ ହେବ ଦୋକାନ ବଜାର ଶୂନଶାନ ହୋଇପଡ଼ିଛି। ଏପର୍ଯ୍ୟନ୍ତ କୌଣସି ବଡ଼ କ୍ଷୟକ୍ଷତି ରିପୋର୍ଟ ମିଳିନଥିଲେ ମଧ୍ୟ ଯଦି ଆଉ ୪ ରୁ ୫ ଦିନ ଲାଗି ବର୍ଷା ହୁଏ ତେବେ ବ୍ୟବସାୟ ଓ ଗରୀବ ଲୋକଙ୍କ ରୋଜଗାର ଉପରେ ବଡ଼ ପ୍ରଭାବ ପଡ଼ିବ ବୋଲି ଆଶଙ୍କା କରାଯାଉଛି।

Share

Leave a Reply