ଅନୁଗୋଳ: ଅନୁଗୋଳ ଅବକାରୀ ବିଭାଗ ପକ୍ଷରୁ ଏକ ଚଢ଼ାଉ କରାଯାଇ ୨୧ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି। ଏହି ମାମଲାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।
ବିଶେଷ ସୂତ୍ରରୁ ଖବର ପାଇ ଅବକାରୀ ବିଭାଗର ଏକ ଟିମ ନାଲକୋ ଥାନା ଅନ୍ତର୍ଗତ ଗିରାଙ୍ଗ ଛକର କିରଣ ସାହୁଙ୍କ ଘର ଉପରେ ଅତର୍କିତ ଚଢ଼ାଉ କରିଥିଲେ। ତଲାସୀ ସମୟରେ ତାଙ୍କଠାରୁ ୨୧ ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିଲା, ଯାହାର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୨ ଲକ୍ଷ ୧୦ ହଜାର ଟଙ୍କା ହେବ।
ନାଲକୋ ଅଞ୍ଚଳରେ ବେଆଇନ ମାଦକ ଦ୍ରବ୍ୟ କାରବାର ବୃଦ୍ଧି ପାଉଥିବାରୁ ସାଧାରଣରେ ଚିନ୍ତା ପ୍ରକାଶ ପାଇଛି। ଏହି ଚଢ଼ାଉରେ ଅବକାରୀ ଏସଆଇ ଯୋଗେଶ୍ୱର ଜେନା, ଏଏସ୍ଆଇ ସମୀର ମହାଳିକ, ପ୍ରଭାତ ପରିଡ଼ା, ରଜନୀ ପ୍ରଭା ଏବଂ ନିତିନ ତ୍ରିପାଠୀ ପ୍ରମୁଖ ସାମିଲ ଥିଲେ। ଅବକାରୀ ବିଭାଗ ପକ୍ଷରୁ ଅଭିଯୁକ୍ତଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।











