ଅନୁଗୁଳ: ସାରା ଦେଶରେ ଅକ୍ସିଜେନ୍କୁ ନେଇ ହାହାକାର ସ୍ଥିତି । ଏହି ଅକ୍ସିଜେନ୍ ଅଭାବରୁ ହିଁ ଅଧିକାଂଶ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହେଉଛି। ଏହାକୁ ଦୃଷ୍ଟିରେ ରଖି ଅନୁଗୁଳ ଜିଲ୍ଲାର ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ର ଓ ସମସ୍ତ କୋଭିଡ୍ କେୟାର୍ ସେଣ୍ଟର୍ରେ ଆବଶ୍ୟକ ପରିମାଣର ଅକ୍ସିଜେନ୍ ଗଚ୍ଛିତ ରଖିବାକୁ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ନିର୍ଦେଶ ଦେଇଛନ୍ତି। ଅନୁଗୁଳରେ କରୋନା ସ୍ଥିତି ବିଗିଡି ଚାଲିଥିବା ବେଳେ ଜିଲ୍ଲାପାଳ ସୋମବାର ଅପରାହ୍ନରେ କୋଭିଡ୍ ସ୍ଥିତିର ସମୀକ୍ଷା କରିଛନ୍ତି। ସଂକ୍ରମିତଙ୍କ ସଂଖ୍ୟା ବଢୁ ଥିବାରୁ କୋଭିଡ୍ କେୟାର ସେଣ୍ଟରର ସୁପରିଚାଳନା ପାଇଁ ବିଡ଼ିଓ ଓ ତହସିଲଦାରଙ୍କୁ ଦାୟିତ୍ବ ଦିଆଯାଇଛି। ଜିଲ୍ଲାରେ ଉଚ୍ଚା ସଂକ୍ରମଣର ନିୟନ୍ତ୍ରଣ ପାଇଁ ସରକାରୀ ଗାଇଡ୍ଲାଇନ୍କୁ କଡ଼ାକଡ଼ି ଭାବେ ପାଳନ କରିବା ଉପରେ ଜିଲ୍ଲାପାଳ ଗୁରୁତ୍ବାରୋପ କରିଥିଲେ। ଏହି ସମୀକ୍ଷା ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ଶତପଥୀ, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ସନ୍ତୋଷ କୁମାର ପ୍ରଧାନ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍କାର ପ୍ରକଳ୍ପ ନିର୍ଦ୍ଦେଶକ ଦିଲ୍ଲୀପ କୁମାର ସାହୁ ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଅଭୟ କୁମାର ଦାଶ ପ୍ରମୁଖ ଉପସ୍ଥିତ ଥିଲେ।
ଜିଲ୍ଲାପାଳଙ୍କ କୋଭିଡ୍ ସମୀକ୍ଷା,ଅକ୍ସିଜେନ୍ ଗଚ୍ଛିତ ରଖିବାକୁ ନିର୍ଦ୍ଦେଶ
- Post published:April 27, 2021
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau
