ତାଳଚେର: ବୁଧବାର ନିଶାର୍ଦ୍ଧରେ ଚିହ୍ନଟ ହୋଇଛି ତାଳଚେରର ଅଧିଷ୍ଠାତ୍ରୀ ଦେବୀ କ୍ଳାଳାମୁଖୀ ଅଗ୍ନିରୂପା ମା’ ହିଙ୍ଗୁଳାଙ୍କ ଉଭାସ୍ଥଳୀ। ଗତକାଲି ମଧ୍ୟରାତ୍ରରେ ଦେହୁରୀ ମା’ଙ୍କୁ ଶାବରୀ ମନ୍ତ୍ରରେ ଆରାଧନା କରି ବଶୀଭୂତ କରିଥିଲେ। ଏହା ପରେ କୋଇଲା ସଂଯୋଗ କରି ମା’ଙ୍କ ଉଭାସ୍ଥଳୀ ଚିହ୍ନଟ କରିଥିଲେ। ଗୋପାଳପ୍ରସାଦସ୍ଥିତ ହିଙ୍ଗୁଳା ମନ୍ଦିରର ପଶ୍ଚିମ ଦିଗରେ ପ୍ରାୟ ଏକ କିଲୋମିଟର ଦୂରରେ ଥିବା ଉଚ୍ଚ ବିଦ୍ୟାଳୟର ପାଚେରୀ ନିକଟରେ ଥିବା ପଡ଼ିଆରେ ମା’ ଙ୍କ ଆବିର୍ଭାବ ହୋଇଛି।
ଗତବର୍ଷ ମଧ୍ୟ ମା’ ସିଙ୍ଗଡା ନଦୀର ତଟଦେଶରେ ଆବିର୍ଭୂତ ହୋଇଥିଲେ। ମା’ଙ୍କ ଉଭାସ୍ଥଳୀ ଚିହ୍ନଟ ହେବା ପରେ ଏହି ସ୍ଥାନକୁ ଭକ୍ତଙ୍କ ସୁଅ ଛୁଟିଛି। ପ୍ରକାଶ ଯେ ମା’ ହିଙ୍ଗୁଳାଙ୍କ ପ୍ରସିଦ୍ଧ ବାର୍ଷିକ ଯାତ୍ରା ତଥା ୧୮ତମ ଲୋକ ମହୋତ୍ସବ ଚଳିତ ମାସ ୧୫ ତାରିଖ ଠାରୁ ଆରମ୍ଭ ହେଉଛି।