ଅନୁଗୁଳ: ଅନୁଗୁଳ ଜିନ୍ଦଲ ନଗର ପରିସରସ୍ଥ ଦେବ ଭୂମି ଶ୍ରୀଜଗନ୍ନାଥ ମନ୍ଦିର ଠାରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ନୀତି ସଂପନ୍ନ ହୋଇଛି। ଏହି ଅବସରରେ ଜିନ୍ଦଲ ନଗରରେ ବାସ କରୁଥିବା ଶ୍ରଦ୍ଧାଳୁଙ୍କ ସହ ପାର୍ଶ୍ଵବର୍ତ୍ତୀ ଗ୍ରାମାଞ୍ଚଳରୁ ହଜାର ହଜାର ସଂଖ୍ଯାରେ ଶ୍ରଦ୍ଧାଳୁ ଯୋଗ ଦେଇ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିଥିଲେ।
ଏହି ଅବସରରେ ମନ୍ଦିରର ଆଦ୍ୟ ସେବକ ତଥା ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଅଧ୍ୟକ୍ଷ ଓ ହରିୟାଣା, କୁରୁକ୍ଷେତ୍ରର ସାଂସଦ ନବୀନ ଜିନ୍ଦଲ ତାଙ୍କ ଧର୍ମପତ୍ନୀ ଶାଲୁ ଜିନ୍ଦଲଙ୍କ ସହିତ ଯୋଗ ଦେଇ ବୈଦିକ ପରମ୍ପରା ବିଧି ମୁତାବକ ତିନି ଦିଅଁ ପ୍ରଭୁ ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ବୈଦିକ ରୀତିରେ ସମ୍ପୂର୍ଣ୍ଣ ନୀତିକାନ୍ତି ସହ ଦେବସ୍ନାନ କରାଇଥିଲେ ।
ପୁରୀ ଶ୍ରୀମନ୍ଦିରର ନୀତି ନିର୍ଘଣ୍ଟ ଅନୁସାରେ ଦେବଭୂମିରେ ମଧ୍ୟ ବଡି ଭୋର ପାଞ୍ଚଟା ସମୟରେ ଦ୍ଵାର ଫିଟା, ମଙ୍ଗଳ ଆରତୀ, ଶ୍ରୀ କର୍ପୁରଲାଗି, ମଙ୍ଗଳାର୍ପଣ ନୀତି, ପୁଷ୍ପାଞ୍ଜଳି, ସର୍ବାଙ୍ଗ ଆଦି ପରେ ଦିଅଁ ମାନଙ୍କୁ ଧାଡି ପହଣ୍ଡିରେ ଶ୍ରୀ ମନ୍ଦିରରୁ ସ୍ନାନ ମଣ୍ଡପକୁ ନିଆଯାଇଥିଲା। ସେଠାରେ ମୁଖ୍ୟ ପୂଜକଙ୍କ ନିର୍ଦ୍ଦେଶନାରେ ପଞ୍ଚ ଉପଚାର ପୂଜା ନୀତିକାନ୍ତି ପାଳିତ ହୋଇଥିଲା।
ସ୍ନାନ ଯାତ୍ରାର ନୀତିକାନ୍ତି ପରେ ସନ୍ଧ୍ୟାରେ ଅଣସର ପହଣ୍ଡି କାର୍ଯ୍ୟକ୍ରମ ସହ ଦିଅଁ ମାନେ ଅଣସର ଗୃହକୁ ପ୍ରବେଶ କରିଥିଲେ। ପୁରାଣ ଅନୁସାରେ ସ୍ନାନ ଦ୍ଵାରା ଦିଅଁ ମାନଙ୍କୁ ଜ୍ଵର ହୋଇଥାଏ ଏବଂ ସେମାନେ ଆସନ୍ତା ୧୪ ଦିନଧରି ଅଣସର ଘରେ ବିଶ୍ରାମ ନେଇଥାନ୍ତି।











