କାମ ସରିବା ପରେ ହିଁ ଶୁଭାରମ୍ଭ ଦାବି, ଅକ୍ଟୋବର ସୁଦ୍ଧା ତ୍ରୁଟି ସଂଶୋଧନ ଆଶ୍ୱାସନା

You are currently viewing କାମ ସରିବା ପରେ ହିଁ ଶୁଭାରମ୍ଭ ଦାବି, ଅକ୍ଟୋବର ସୁଦ୍ଧା ତ୍ରୁଟି ସଂଶୋଧନ ଆଶ୍ୱାସନା

ଅନୁଗୋଳ: ତାଳଚେର ହାଣ୍ଡିଧୂଆଁ ଗ୍ରାମର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ଏବଂ ଏମସିଏଲ ଦ୍ୱାରା ନିର୍ମିତ ବିଶୁଦ୍ଧ ପାନୀୟ ଜଳ ପ୍ରକଳ୍ପର ଶୁଭ ଉଦଘାଟନକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି।

ଭାରତ ସରକାରଙ୍କ କୋଇଲା ମନ୍ତ୍ରାଳୟ ପକ୍ଷରୁ ଉଦଘାଟନ ପାଇଁ ତାଳଚେର କ୍ଷେତ୍ର ମହାପ୍ରବନ୍ଧକ ଓ ଏମସିଏଲସି ଏସ୍ଆରର ମହାପ୍ରବନ୍ଧକ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଓ ଗ୍ରାମବାସୀଙ୍କୁ ପତ୍ର ମାଧ୍ୟମରେ ନିବେଦନ କରିଥିଲେ। 

ବୈଠକରେ ଯୋଗଦେଇ ବିଧାୟକ ଶ୍ରୀ ପ୍ରଧାନ ପ୍ରଶ୍ନ କରିଥିଲେ ଯେ, “ସ୍ଥାନୀୟ ଲୋକଙ୍କୁ ଅବଗତ ନ କରାଇ ଏବଂ ପ୍ରକଳ୍ପର ସମସ୍ତ କାର୍ଯ୍ୟ ସଠିକ୍ ଭାବେ ଶେଷ ନକରି ଏତେ ବଡ଼ ପ୍ରକଳ୍ପର ଉଦଘାଟନ କେଉଁ ଭଳି ଭାବେ କରାଯାଉଛି?” ଗ୍ରାମବାସୀ ମଧ୍ୟ ଏଥିରେ ସହମତ ହୋଇ ସର୍ତ୍ତ ରଖିଛନ୍ତି ଯେ,’ସମସ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପରେ ହିଁ ଶୁଭ ଆରମ୍ଭ ହେବ, ନଚେତ୍ ଅସହଯୋଗ କରାଯିବ’।

ଆଲୋଚନା ପରେ ତାଳଚେର କ୍ଷେତ୍ର ମହାପ୍ରବନ୍ଧକ ସ୍ପଷ୍ଟ କରିଛନ୍ତି ଯେ, ଆସନ୍ତା ଅକ୍ଟୋବର ମାସ ସୁଦ୍ଧା ପ୍ରକଳ୍ପର ସମସ୍ତ ତ୍ରୁଟି ସଂଶୋଧନ କରାଯାଇ କାମ ସମ୍ପୂର୍ଣ୍ଣ ହେବା ପରେ ହିଁ ଏହାର ସଦୁପଯୋଗ କରାଯିବ। ତେବେ କୋଇଲା ମନ୍ତ୍ରାଳୟ ପକ୍ଷରୁ ସମୟ ଧାର୍ଯ୍ୟ ହୋଇସାରିଥିବାରୁ ପ୍ରଥମେ ଉଦଘାଟନ କରି ପରେ କାର୍ଯ୍ୟ ସମାପ୍ତ ହେଲେ ଶୁଭାରମ୍ଭ କରାଯିବ।

ଗ୍ରାମବାସୀଙ୍କ ଅନ୍ୟ ଦାବି ଯଥା ଭୂତଳ ଖଣି ଗୁଡ଼ିକରେ ସଠିକ୍ ଭାବରେ ବାଲି ଭର୍ତ୍ତି, ଖଣି ଯୋଗୁଁ ଗର୍ତ୍ତ ସୃଷ୍ଟି ହୋଇଥିବା ଜମି ମାଲିକଙ୍କୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ, ଗ୍ରାମର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଉ ଇତ୍ୟାଦି। ଏହି ବୈଠକରେ ହାଣ୍ଡିଧୂଆଁ ଗ୍ରାମ ସଭାପତି ବିଦ୍ୟାଧର ପ୍ରଧାନ, ଉପ ସଭାପତି ରାଜେନ୍ଦ୍ର ପ୍ରତାପ ପ୍ରଧାନ, କୋଷାଧକ୍ଷ ଗଙ୍ଗାଧର ପ୍ରଧାନ, ସମ୍ପାଦକ ଅଜୟ କୁମାର ପ୍ରଧାନ, ବିଦ୍ୟାଧର ସାହୁଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ।

Share

Leave a Reply