ଅନୁଗୋଳ: ଓଡ଼ିଶାର ଅନୁଗୋଳ ଜିଲ୍ଲାସ୍ଥିତ ରେଙ୍ଗାଲି ଜଳସେଚନ ପ୍ରକଳ୍ପ ଅଞ୍ଚଳରେ ଏକ ନୂତନ ଇକୋ-ଟୁରିଜିମ୍ ପ୍ରକଳ୍ପ ହାତକୁ ନିଆଯାଇଛି। ପ୍ରକୃତିର ଅପୂର୍ବ ସୌନ୍ଦର୍ଯ୍ୟ ଓ ସବୁଜ ବନାନୀ ଘେରା ରେଙ୍ଗାଲି ଜଳଭଣ୍ଡାରକୁ ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଭାବେ ଗଢ଼ିତୋଳିବା ପାଇଁ ୨୪୯ ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇଛି।
ଏହି ପ୍ରକଳ୍ପରେ ପର୍ଯ୍ୟଟକଙ୍କ ପାଇଁ ଟିକେଟ କାଉଣ୍ଟର, ଶିଶୁ ଉଦ୍ୟାନ, ୱାଚ୍ ଟାୱାର ଓ ପିକ୍ନିକ୍ ପିଣ୍ଡି ଆଦି ଭିତ୍ତିଭୂମି ନିର୍ମାଣ ହେବ। ଏହାଛଡ଼ା, ପର୍ଯ୍ୟଟକଙ୍କ ମନୋରଞ୍ଜନ ପାଇଁ ସ୍ପିଡ୍ ବୋଟ୍, ଜେଟ୍ ସ୍କିଇଂ, ପେଡାଲ ବୋଟ୍ ଓ ୱାଟର ବଲ୍ ଭଳି ଜଳ କ୍ରୀଡ଼ା ସୁବିଧା ରହିବ। ସେହିପରି ଜାଏଣ୍ଟ ସ୍ୱିଙ୍ଗ୍, ଜିପ୍ ଲାଇନ୍ ଓ ଗ୍ଲାସ୍ ଟାୱାର ଭଳି ସାହସିକ କ୍ରୀଡ଼ା ବା ଆଡଭେଞ୍ଚର ଟୁରିଜିମ୍ ମଧ୍ୟ ଯୋଜନାରେ ସାମିଲ ରହିଛି। ଆଗାମୀ ୬ ମାସ ମଧ୍ୟରେ ଏହି କାର୍ଯ୍ୟ ଶେଷ ହେବ ବୋଲି ଆଶା କରାଯାଉଛି। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଅଞ୍ଚଳରେ ପର୍ଯ୍ୟଟନର ବିକାଶ ସହିତ ସ୍ଥାନୀୟ ଲୋକଙ୍କ ପାଇଁ ନିଯୁକ୍ତିର ନୂତନ ସୁଯୋଗ ସୃଷ୍ଟି ହେବ। ସଡ଼କ ପଥରେ ସହଜରେ ପହଞ୍ଚି ହେଉଥିବାରୁ ଏହା ଏକ ଶ୍ରେଷ୍ଠ ୱିକେଣ୍ଡ୍ ଗେଟ୍ୱେ ପାଲଟିବ ବୋଲି ପ୍ରଶାସନ ପକ୍ଷରୁ ଆଶା ରଖାଯାଇଛି।











