ଜିନ୍ଦଲ ନଗରରେ ଭକ୍ତିମୟ ପରିବେଶରେ ଦେବସ୍ନାନ ପୂର୍ଣ୍ଣିମା ପାଳିତ

You are currently viewing ଜିନ୍ଦଲ ନଗରରେ ଭକ୍ତିମୟ ପରିବେଶରେ ଦେବସ୍ନାନ ପୂର୍ଣ୍ଣିମା ପାଳିତ

ଅନୁଗୋଳ: ଜିନ୍ଦଲ ନଗର ସ୍ଥିତ ଦେବଭୂମି ଶ୍ରୀ ଜଗନ୍ନାଥ ମନ୍ଦିରରେ ଆଜି ପବିତ୍ର ଦେବସ୍ନାନ ପୂର୍ଣିମା ଭକ୍ତି ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଛି। ଏହି ଅବସରରେ ଓ.ପି. ଜିନ୍ଦଲ ଗୋଷ୍ଠୀର ଚେୟାରପର୍ସନ୍ ଏମେରିଟସ୍ ସାବିତ୍ରୀ ଜିନ୍ଦଲ ଏବଂ ମନ୍ଦିରର ଆଦ୍ୟ ସେବିକା ତଥା ଜିନ୍ଦଲ ଫାଉଣ୍ଡେସନର ଅଧ୍ୟକ୍ଷା ଶାଲୁ ଜିନ୍ଦଲ ଉପସ୍ଥିତ ରହି ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ ଓ ସେବାର୍ଚ୍ଚନା କରିଥିଲେ। ଜିନ୍ଦଲ ନଗର ସମେତ ଆଖପାଖ ଗ୍ରାମରୁ ହଜାର ହଜାର ଶ୍ରଦ୍ଧାଳୁ ଏହି ଦିବ୍ୟ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

ପ୍ରାତଃ ୫ଟାରେ ଦ୍ୱାର ଫିଟା, ମଙ୍ଗଳ ଆଳତି ଓ ପୁଷ୍ପାଞ୍ଜଳି ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଧାଡ଼ି ପହଣ୍ଡି ନୀତି ଅନୁଷ୍ଠିତ ହୋଇଥିଲା। ପବିତ୍ର ସ୍ନାନମଣ୍ଡପରେ ୧୦୮ ଗରା ସୁବାସିତ ଜଳରେ ମହାସ୍ନାନ ପରେ ମହାପ୍ରଭୁମାନଙ୍କୁ ଭବ୍ୟ ଗଜାନନ ବେଶରେ ସଜ୍ଜିତ କରାଯାଇଥିଲା। ଜଗନ୍ନାଥ ଓ ବଳଭଦ୍ର ଗଜାନନ ବେଶ ଏବଂ ଦେବୀ ସୁଭଦ୍ରା ପଦ୍ମ ବେଶରେ ଦର୍ଶନ ଦେଇ ଭକ୍ତଙ୍କୁ ବିଭୋର କରିଥିଲେ। ସନ୍ଧ୍ୟାରେ ଅଣସର ପହଣ୍ଡି ନୀତି ପରେ ମହାପ୍ରଭୁ ଅଣସର ଗୃହକୁ ବିଜେ କରିଛନ୍ତି। ଆଗାମୀ ଚଉଦ ଦିନ ଗୁପ୍ତ ସେବା ପରେ ନେତ୍ରୋତ୍ସବ ଓ ରଥଯାତ୍ରା ଅନୁଷ୍ଠିତ ହେବ।

“ଜୟ ଜଗନ୍ନାଥ” ଧ୍ୱନି ଓ ଘଣ୍ଟିନାଦରେ ସମଗ୍ର ମନ୍ଦିର ପରିସର ଉତ୍ସବମୁଖର ହୋଇପଡିଥିଲା। ପୁରୀ ଶ୍ରୀମନ୍ଦିର ପରମ୍ପରା ଅନୁଯାୟୀ ସମସ୍ତ ନୀତିକାନ୍ତି ସୁଚାରୁରୂପେ ସମ୍ପନ୍ନ କରାଯାଇଥିବା ମନ୍ଦିର କମିଟି ପକ୍ଷରୁ ସୂଚନା ଦିଆଯାଇଛି।

Share

Leave a Reply