ଅନୁଗୁଳ: ୫୫ ନମ୍ବର ଜାତୀୟ ରାଜପଥ ମରାମତିଠାରୁ ଆରମ୍ଭ କରି ମେଡିକାଲ କଲେଜ କାର୍ଯ୍ୟକାରୀ ସମେତ ବିଭିନ୍ନ ଦାବି ନେଇ ଅନୁଗୁଳ ସଚେତନ ନାଗରିକଙ୍କ ପକ୍ଷରୁ ଚାଲିଥିବା ଗଣଧାରଣା ଆଜି ୧୪ ଦିନରେ ପହଞ୍ଚିଛି। କିନ୍ତୁ ଏବେ ଯାଏଁ କୌଣସି ସରକାରୀ ଅଧିକାରୀ କିମ୍ବା ଜନପ୍ରତିନିଧି ଧାରଣାରତ ଲୋକଙ୍କ ପାଖରେ ପହଞ୍ଚିନାହାନ୍ତି। ଏହାକୁ ପ୍ରତିବାଦ କରି ଆଜି ସଚେତନ ନାଗରିକଙ୍କ ପକ୍ଷରୁ ଶୋଭାଯାତ୍ରା ଆୟୋଜିତ ହୋଇଛି।
ଏ ଅବସରରେ ଆନ୍ଦୋଳନକାରୀମାନେ ହାତରେ ପ୍ଲାକାର୍ଡ ଧରି ନାରାବାଜି ଦେବା ସହ ଅନୁଗୁଳ ସହର ପରିକ୍ରମା କରି ପୁଣି ଧାରଣାସ୍ଥଳକୁ ଫେରିଥିଲେ। ଯେତେଦିନ ପର୍ଯ୍ୟନ୍ତ ଏହି ରାଜପଥ ସମସ୍ୟାର ସମାଧାନ ଓ ମେଡିକାଲ କଲେଜ ପ୍ରତିଷ୍ଠା ଘୋଷଣା କରାଯାଇନାହିଁ ସେ ପର୍ଯ୍ୟନ୍ତ ଭିନ୍ନଭିନ୍ନ ଉପାୟରେ ଆନ୍ଦୋଳନ ଜାରି ରହିବ ବୋଲି ଆନ୍ଦୋଳନକାରୀ ଚେତାବନୀ ଦେଇଛନ୍ତି। ଦରକାର ପଡ଼ିଲେ ଜିଲ୍ଲାରେ ଅର୍ଥନୈତିକ ଅବରୋଧ କରାଯିବ ବୋଲିି ଧାରଣାକାରୀ କହିଛନ୍ତି।











