ଅନୁଗୋଳ: ଦୁଃସ୍ଥ କ୍ରୀଡ଼ାବିତ୍ ଦୁଷ୍ମନ୍ତ ପ୍ରଧାନଙ୍କ ସହାୟତା ପାଇଁ ଅନୁଗୋଳର ଲୋକପ୍ରିୟ ଜିଲ୍ଲାପାଳ ଅବ୍ଦାଲ ଏମ ଅଖତର ନାଲକୋ ନିର୍ବାହୀ ନିର୍ଦ୍ଦେଶକଙ୍କୁ ଚିଠି ଲେଖିଥିବା ଜଣାପଡିଛି। ଅନୁଗୋଳ ସହର ଉପକଣ୍ଠ ତୁରଙ୍ଗ ଗାଁରେ ରହୁଥିବା ଦୁଷ୍ମନ୍ତ ପ୍ରଧାନ ଜଣେ ପ୍ରତିଭା ସମ୍ପନ୍ନ ଆଥଲେଟ୍। ସେ ୨୦୨୫ ରାଜ୍ୟ ଆଥଲେଟିକ ମିଟର ୧୦ କିମି ୱାକିଂ ପ୍ରତିଯୋଗିତାରେ ସେ ସ୍ୱର୍ଣ୍ଣ ପଦକ ଓ ୨୦୨୬ ରେ ସେ ରୌପ୍ୟ ପଦକ ପାଇଛନ୍ତି।
ତାଙ୍କର ଆର୍ଥିକ ଅବସ୍ଥା ଅତ୍ୟନ୍ତ ଶୋଚନୀୟ।ଦୁଷ୍ମନ୍ତଙ୍କ ବାପା ନଥିବା ବେଳେ ମା ମୂଲ ଲାଗି ଘର ଚଳାନ୍ତି।ଦୁଷ୍ମନ୍ତ ଯୁକ୍ତ ଦୁଇ ପାସ୍ କରି ଏକ ଗ୍ୟାରେଜ ରେ କାମ କରି ନିଜ ଗୁଜୁରାଣ ମେଣ୍ଟାଉଛନ୍ତି। ଏଥିନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଜିଲ୍ଲା କ୍ରୀଡା ଅଧିକାରୀ ଅକ୍ଷୟ କୁମାର ସିଠଙ୍କ ଜରିଆରେ ଦୁଷ୍ମନ୍ତ ଜିଲ୍ଲାପାଳଙ୍କୁ ଭେଟି ନିଜ ଦୂରାବସ୍ଥା ଲିଖିତ ଜଣାଇଥିଲେ ବିଶେଷକରି ଖେଳ ଜୋତା, ଟ୍ରାକ ସୁଟ୍ ଏବଂ ଦୈନିକ ପୁଷ୍ଟିକର ଖାଦ୍ୟ ପାଇଁ ଆର୍ଥିକ ସହାୟତା ଜରୁରୀ ମନେକରି ସେ ଦେଇଥିବା ଦରଖାସ୍ତ ଉପରେ ଜିଲ୍ଲାପାଳ ଗତ ୧୩ ତାରିଖ ରେ ନାଲକୋ ନିର୍ବାହୀ ନିର୍ଦ୍ଦେଶକଙ୍କୁ ଚିଠି ଲେଖି ଜଣାଇଛନ୍ତି। ନାଲକୋର ସହାୟତା ମିଳିଲେ ଦୁଷ୍ମନ୍ତ ତାଙ୍କ କ୍ରୀଡା ଦକ୍ଷତାକୁ ଅଧିକ ଶାଣିତ କରିପାରିବେ ବୋଲି ଆଶା କରାଯାଉଛି।











