ଅନୁଗୋଳ: ସାମାନ୍ୟ କଳିକୁ ସ୍ୱାମୀ ମାଡ଼ରେ ସ୍ତ୍ରୀର ମୃତ୍ୟୁ। ଅନୁଗୋଳ ଜିଲ୍ଲା ପାଳଲହଡ଼ା ଥାନା ଅନ୍ତର୍ଗତ ତିରିବି ଗ୍ରାମରେ ଅଭାବନୀୟ ଘଟଣା। ଏନେଇ ପାଳଲହଡ଼ା ଥାନାରେ ଏକ ମାମଲା ରୁଜୁ ହୋଇଛି।
ସୂଚନା ଅନୁଯାୟୀ, ମୃତକ ହେଲେ ତିରିବି ଗ୍ରାମର ସୌଭାଗ୍ୟ ମାହାନ୍ତଙ୍କ ପତ୍ନୀ ହେମଲତା ମାହାନ୍ତ (୩୫)। ପ୍ରାୟ ୭ରୁ ୮ ବର୍ଷ ପୂର୍ବେ ତାଙ୍କର ବିବାହ ହୋଇଥିବା ବେଳେ ତାଙ୍କର ଏକ ୪ ବର୍ଷର ପୁଅ ମଧ୍ୟ ଅଛି। ଅଭିଯୁକ୍ତ ସ୍ୱାମୀ ସୌଭାଗ୍ୟ ପ୍ରତିଦିନ ବିଭିନ୍ନ କଥାରେ ହେମଲତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇଆସୁଥିଲେ।
ରବିବାର ସନ୍ଧ୍ୟାରେ ହେମଲତା ଜମିରେ କାମ ସାରି ଘରକୁ ଫେରିବା ପରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହି ସମୟରେ ଉତ୍କ୍ଷିପ୍ତ ହୋଇ ସ୍ୱାମୀ ତାଙ୍କୁ ଗୋଇଠା ଓ ଚାପୁଡ଼ା ମାରିଥିଲେ। ଭୟରେ ହେମଲତା ବାହାରକୁ ଦୌଡ଼ି ପଳାଇବାରୁ ସ୍ୱାମୀ ଏକ ଠେଙ୍ଗାରେ ତାଙ୍କୁ ନିର୍ମମ ଭାବେ ମାଡ଼ ମାରିଥିଲେ, ଯାହାଫଳରେ ସେ ଗୁରୁତର ଭାବେ ଆହତ ହୋଇ ତଳେ ପଡ଼ିଯାଇଥିଲେ।
ପଡ଼ୋଶୀମାନେ ୧୧୨ ନମ୍ବରକୁ କଲ୍ କରିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ହେମଲତାଙ୍କୁ ପାଳଲହଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ମୃତକଙ୍କ ଭାଇ ଉପେନ୍ଦ୍ର ମାହାନ୍ତଙ୍କ ଅଭିଯୋଗ କ୍ରମେ ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତ ସ୍ୱାମୀ ସୌଭାଗ୍ୟ ମାହାନ୍ତଙ୍କୁ ଗିରଫ କରିଛି।











