ଅନୁଗୁଳ: ଜିଲ୍ଲାରେ ଥମୁନି ଗଜରାଜଙ୍କ ତାଣ୍ଡବ। ଅନୁଗୁଳ ବନ୍ତଳା ବନାଞ୍ଚଳରେ ହାତୀ-ମଣିଷ ଲଢ଼େଇ ଏବେ ଭୟଙ୍କର ରୂପ ଧାରଣ କରିଛି। ମାତ୍ର ଏକ ସପ୍ତାହ ମଧ୍ୟରେ ହାତୀ ଆକ୍ରମଣରେ ୪ ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ଆଜି ପୁଣି ଜଣେ ବୃଦ୍ଧଙ୍କ ଜୀବନ ଯାଇଛି।
ସୂଚନା ଅନୁସାରେ, ତଳମୂଳ ଗାଁର ଆରତ ଭୋଇ ବିଳମ୍ବିତ ରାତିରେ ପରିବାର ସହ ଶୋଇଥିବା ବେଳେ ଏକ ଦନ୍ତା ହାତୀ ଘରର କାନ୍ଥ ଭାଙ୍ଗି ତାଙ୍କୁ ଆକ୍ରମଣ କରିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲେ ହେଁ ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ଗତକାଲି କୁସୁମପାଟ ଗାଁର ପ୍ରମିଳା ସାହୁଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ତୁମୁଣି ଗାଁର ବନ୍ଧୁ ବେହେରା ହାତୀ ଆକ୍ରମଣରେ ଗୁରୁତର ହୋଇଛନ୍ତି।
ଲଗାତାର ହେଉଥିବା ଏହି ଆକ୍ରମଣ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ସହ ଭୟର ବାତାବରଣ ଖେଳିଯାଇଛି। ବନ ବିଭାଗ ହାତୀ ଘଉଡ଼ାଇବାରେ ବିଫଳ ହେଉଥିବା ଅଭିଯୋଗ କରି ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ଜନବସତି ମୁହାଁ ହାତୀଙ୍କୁ ରୋକିବା ପାଇଁ ପ୍ରଶାସନ ତୁରନ୍ତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।











