ଅନୁଗୋଳ: ସ୍ଥାନୀୟ କଣିହାଁ କୋଇଲା ଖଣିରେ ଗତ ଦୁଇ ଦିନ ଧରି ଲାଗି ରହିଥିବା ଅଚଳାବସ୍ଥାର ଅନ୍ତ ଘଟିଛି। ଶୁକ୍ରବାର ଅପରାହ୍ନଠାରୁ ଖଣିରେ କୋଇଲା ଉତ୍ତୋଳନ ଓ ପରିବହନ କାର୍ଯ୍ୟ ପୁଣିଥରେ ସ୍ୱାଭାବିକ ହୋଇଛି।
ସୂଚନା ଅନୁଯାୟୀ, ତାଳଚେର ଉପଜିଲ୍ଲାପାଳ ଆଶିଷ ରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଏହି ସମସ୍ୟାର ସମାଧାନ ହୋଇଛି। ନିଯୁକ୍ତି ସମ୍ବନ୍ଧୀୟ ଦାବିକୁ ନେଇ ଆୟୋଜିତ ଏହି ବୈଠକରେ ଖଣି କର୍ତ୍ତୃପକ୍ଷ, ପରିବହନ ସଂସ୍ଥା ଓ ଶ୍ରମିକ ପ୍ରତିନିଧିମାନେ ଯୋଗ ଦେଇଥିଲେ। ବୈଠକରେ ନିଷ୍ପତ୍ତି ନିଆଯାଇଥିଲା ଯେ, ଯୋଗ୍ୟ ପ୍ରାର୍ଥୀଙ୍କ ଆବେଦନ ଗ୍ରହଣ କରାଯିବା ସହ ଏକ ସ୍କ୍ରୁଟିନି କମିଟି ଗଠନ କରାଯିବ। ଏଥିସହିତ ଆବଶ୍ୟକ ଦଲିଲପତ୍ର ଓ ପୋଲିସ କ୍ଲିୟରେନ୍ସ ପ୍ରମାଣପତ୍ର ଦାଖଲ ସାପେକ୍ଷେ ଯୋଗ୍ୟତା ଭିତ୍ତିରେ ନିଯୁକ୍ତି ପ୍ରକ୍ରିୟା ଆଗେଇ ନେବାକୁ ସହମତି ପ୍ରକାଶ ପାଇଛି।
ଉପଜିଲ୍ଲାପାଳଙ୍କ ପକ୍ଷରୁ ଏହି ନିଷ୍ପତ୍ତିର ଲିଖିତ କାର୍ଯ୍ୟବିବରଣୀ ପ୍ରକାଶ ପାଇବା ପରେ ଶ୍ରମିକମାନେ କାର୍ଯ୍ୟରେ ଯୋଗ ଦେଇଥିଲେ। ଫଳରେ ଏମ୍ସିଏଲ୍ (MCL)ର ଉତ୍ପାଦନ ଓ ଯୋଗାଣ ବ୍ୟବସ୍ଥା ପୁନର୍ବାର ସ୍ୱାଭାବିକ ହୋଇଥିବା ଜଣାପଡ଼ିଛି।











