ଏନଟିପିସି କଣିହାଁରେ ନିଯୁକ୍ତି ଦାବି: ରେଳଧାରଣା ଅବରୋଧ କଲେ କ୍ଷତିଗ୍ରସ୍ତ ପରିବାର

You are currently viewing ଏନଟିପିସି କଣିହାଁରେ ନିଯୁକ୍ତି ଦାବି: ରେଳଧାରଣା ଅବରୋଧ କଲେ କ୍ଷତିଗ୍ରସ୍ତ ପରିବାର

ଅନୁଗୁଳ: ନିଯୁକ୍ତି ଦାବିରେ ଏନଟିପିସି କଣିହାଁ ଦ୍ଵାରା କ୍ଷତିଗ୍ରସ୍ତ ୬ଟି ପରିବାର ପକ୍ଷରୁ ଶନିବାର ପ୍ରବଳ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଦୀର୍ଘ ୬ ବର୍ଷ ଧରି ନିଯୁକ୍ତି ଅପେକ୍ଷାରେ ଥିବା ଏହି ‘ସବ୍‌ଷ୍ଟାନସିଆଲ୍‌ ଆଫେକ୍ଟେଡ୍ ପର୍ସନ୍ସ’ (SAP) ବର୍ଗର ଚାକିରି ଆଶାୟୀମାନେ ଭୋର ୫ଟାରୁ ଏମଜିଆର ଆମ୍ବପାଳ ଲେଭଲ କ୍ରସିଂ ନିକଟରେ ରେଳଧାରଣାରେ ବସି ରହିଥିଲେ। ଏହି ଅବରୋଧ ଫଳରେ ଏନଟିପିସିକୁ ହେଉଥିବା କୋଇଲା ପରିବହନ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା।

ସୂଚନା ଅନୁଯାୟୀ, ଡେରଙ୍ଗର ରଶ୍ମିତା ନାଏକ, ବିଜିଗୋଳର ବିନ୍ଦୁ ସାଗର ପାଣି, ଗୁରୁଜାଙ୍ଗର ହୃଷିକେଶ ପାଣି, ରଙ୍ଗବେଡାର ମୋନାଲିସା ପ୍ରଧାନ, ଗଦାଶିଳାର ସବିତାରାଣୀ ପ୍ରଧାନ ଓ ପଟ୍ଟାଖମଣର ଶୁଭଲକ୍ଷ୍ମୀ ପ୍ରଧାନ ନିଯୁକ୍ତି ପାଇଁ ବାରମ୍ବାର କର୍ତ୍ତୃପକ୍ଷଙ୍କ ଦ୍ଵାରସ୍ଥ ହୋଇଥିଲେ। ଜିଲ୍ଲା ପ୍ରଶାସନ ଓ ଜନପ୍ରତିନିଧିଙ୍କ ଜରିଆରେ ମଧ୍ୟ ଏନଟିପିସିକୁ ଅବଗତ କରାଯାଇଥିଲା। ମାତ୍ର କୌଣସି ସୁଫଳ ନମିଳିବାରୁ ଶେଷରେ ସେମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ।

ଆନ୍ଦୋଳନ ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବା ପରେ ଏନଟିପିସି ମ୍ୟାନେଜମେଣ୍ଟ ଓ ପୋଲିସ ପ୍ରଶାସନ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ। ଆଗାମୀ ଏକ ସପ୍ତାହ ମଧ୍ୟରେ ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ମିଳିବା ପରେ ଅପରାହ୍ନ ୧ଟାରେ ଧାରଣା ପ୍ରତ୍ୟାହୃତ ହୋଇଥିଲା। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।

Share

Leave a Reply