ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ: ଜଳିଗଲା ୧୩ ପରିବାରର ୧୮ ବଖରା ଘର, ପ୍ରଶାସନ ଯୋଗାଉଛି ରନ୍ଧାଖାଦ୍ୟ

0

ଆଠମଲ୍ଲିକ: ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ଅଏଡା ପଞ୍ଚାୟତ ଓଳଥ ଗ୍ରାମରେ ଶୁକ୍ରବାର ଭୟାବହ ଅଗ୍ନିକାଣ୍ଡ ଘଟିଛି।
ସୂଚନା ମୁତାବକ, ସର୍ଟ ସର୍କିଟ ହେବାରୁ ପ୍ରଥମେ ପ୍ରଦୀପ ବାଘଙ୍କ ଘରେ ନିଆଁ ଲାଗିଥିଲା। ଏହି ନିଆଁ ଦେଖୁ ଦେଖୁ ଆଖପାଖ ୧୩ ପରିବାରର ୧୮ ବଖରା ଘର ପାଉଁଶ କରିଦେଇଛି। ନିଆଁର ବେଗ ଏତେ ପ୍ରଖର ଥିଲା ଯେ ଗ୍ରାମବାସୀ ତାକୁ ଆୟତ୍ତ କରିପାରିନଥିଲେ।
ଖବର ପାଇ ଆଠମଲ୍ଲିକ ଅଗ୍ନିଶମ ଓ ଚାରିଛକ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡରେ ଆସବାବ ପତ୍ର, ଧାନ, ଚାଉଳ, ଟଙ୍କା, ପଇସା ସବୁ ଜଳିଯାଇଛି।

ଗ୍ରାମର ରବୀନ୍ଦ୍ର ମାହାର, ଦିବାକର ମାହାର, ପ୍ରମୋଦ ବାଘ, ଶଙ୍କର ବାଘ, ମୁରଲୀ ବାଘ, ପ୍ରଦୀପ ବାଘ, କୃଷ୍ଣଚନ୍ଦ୍ର ମହାକୁଡ଼, ଅଭିମନ୍ୟୁ ମହାକୁଡ଼, କୃପାସିନ୍ଧୁ ମହାକୁଡ଼, ମିଥିଳା ପ୍ରଧାନ, ରବୀନ୍ଦ୍ର ମହାକୁଡ଼, ନୀଳାମ୍ବର ମାହାର, ମଲ୍କି ବାଘଙ୍କ ଘର ନିଆଁରେ ଜଳିଯାଇଥିବା ସୂଚନା ମିଳିଛି l
ପ୍ରାଥମିକ ତଦନ୍ତରୁ ୧୪ ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଆକଳନ କରାଯାଇଛି।

ଖବର ପାଇ ଆଠମଲ୍ଲିକ ଉପଜିଲ୍ଲାପାଳ ତରଣୀ ସୁନା, ତହସିଲଦାର ଯଶୋବନ୍ତ ଦେହୁରୀ, ସହକାରୀ ଜିଲ୍ଲାପାଳ ସୁଜିତ କୁମାର ଭୋଇ, ଅଏଡା ଆର ଆଇ ଅମରନାଥ ଦେହୁରୀ ଓ ଟିମ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିବା ସହ କ୍ଷୟକ୍ଷତି ଆକଳନ କରିଥିଲେ। ପ୍ରଶାସନ ପକ୍ଷରୁ ଅଗ୍ନି ବିପନ୍ନଙ୍କୁ ପଲିଥିନ ପ୍ରଦାନ କରାଯାଇଛି। ଅଏଡା ସରପଞ୍ଚ ସୁବାସିନୀ ସେଠୀ ଘଟଣା ସ୍ଥଳରେ ପହଞ୍ଚି ଲୋକମାନଙ୍କ ପାଇଁ ରନ୍ଧା ଖାଦ୍ୟର ବ୍ୟବସ୍ଥା କରିଥିଲେ। ପରିସ୍ଥିତି ନ ସୁଧୁରିବା ଯାଏଁ ରନ୍ଧା ଖାଦ୍ୟ ଦିଆଯିବ ବୋଲି ସରପଞ୍ଚ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.

error: Content is protected !!