ଅନୁଗୋଳ: ଆଠମଲ୍ଲିକ ଅଞ୍ଚଳର ମୌଳିକ ଭିତ୍ତିଭୂମି ଓ ଆଧ୍ୟାତ୍ମିକ ବିକାଶ ଦିଗରେ ଆଉ ଏକ ପଦକ୍ଷେପ। ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଆଠମଲ୍ଲିକ ଗସ୍ତ କରି ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦ୍ଘାଟନ କରିଛନ୍ତି। ସାଂସଦ ଶ୍ରୀ ପ୍ରଧାନ ପ୍ରଥମେ ବରଟିକିରା-ଟାଙ୍ଗିଆନିଶା ଏବଂ ଛତିଆ ସାହି-ପଦ୍ମପୋଖରୀ ପର୍ଯ୍ୟନ୍ତ ପକ୍କା ସଡ଼କ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏହି ଦୁଇଟି ସଡ଼କ ପ୍ରସ୍ତୁତ ହେଲେ ଗ୍ରାମାଞ୍ଚଳର ଲୋକଙ୍କ ଯାତାୟତ ସମ୍ପୂର୍ଣ ସୁଗମ ହେବ।
ଏହାପରେ ସେ ଆଠମଲ୍ଲିକ ଦୁର୍ଗାବଜାର ସ୍ଥିତ ମା’ ଦୁର୍ଗା ମନ୍ଦିର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟୀକରଣ କାର୍ଯ୍ୟର ଶିଳାନ୍ୟାସ କରିଥିଲେ। ମନ୍ଦିର ପରିସରରେ ସେ ମା’ଙ୍କ ଦର୍ଶନ କରି ଜଗତର କଲ୍ୟାଣ ପାଇଁ ପ୍ରାର୍ଥନା କରିଥିଲେ। ସେହିପରି ପଶୁ ଡାକ୍ତରଖାନା ଛକ ଠାରୁ ମହାନଦୀ ସେତୁ ପର୍ଯ୍ୟନ୍ତ ନୂତନ ଆଲୋକୀକରଣ ପ୍ରକଳ୍ପ ମଧ୍ୟ ସାଂସଦଙ୍କ ଦ୍ୱାରା ଉଦ୍ଘାଟିତ ହୋଇଛି। ଏହା ଫଳରେ ରାତିରେ ଯାତ୍ରା କରୁଥିବା ଲୋକଙ୍କ ପାଇଁ ସୁରକ୍ଷା ବଢିବ। କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ କହିଲେ, ‘ଆଜି ଯେଉଁ ପ୍ରକଳ୍ପଗୁଡିକର ଶୁଭାରମ୍ଭ ହେଲା, ତାହା ଆଠମଲ୍ଲିକର ଲୋକଙ୍କ ଜୀବନଶୈଳୀକୁ ବଦଳାଇବ। ଭଲ ସଡ଼କ, ଉଜ୍ଜ୍ୱଳ ଆଲୋକ ଓ ସୁନ୍ଦର ମନ୍ଦିର ଏହି ଅଞ୍ଚଳର ଆର୍ଥିକ ଓ ସାମାଜିକ ପ୍ରଗତିକୁ ଆହୁରି ତ୍ୱରାନ୍ୱିତ କରିବ।’ ସାଂସଦଙ୍କ ଗସ୍ତକୁ ନେଇ ଅନୁଗୁଳ ଓ ଆଠମଲ୍ଲିକରେ ବ୍ୟାପକ ଉତ୍ସାହ ଦେଖାଦେଇଥିଲା। ବିଭିନ୍ନ ସ୍ଥାନରେ ସ୍ଥାନୀୟ ନେତା, କର୍ମୀ ଓ ସାଧାରଣ ଜନତା ତାଙ୍କୁ ଫୁଲ ମାଲ୍ୟ ଦେଇ ସ୍ୱାଗତ କରିଥିଲେ।











