ଅନୁଗୁଳ : ସ୍ଥାନୀୟ ନିଶା ଶିଳ୍ପାଞ୍ଚଳ ଥାନା ପରଙ୍ଗ ଗ୍ରାମର ବାହଳସାହି ରୁଦ୍ର ପାତ୍ର ନିଜ ସ୍ତ୍ରୀ ସୁଜାତା ପାତ୍ରଙ୍କୁ ତଣ୍ଟି ଚିପି ହତ୍ୟା କରିଥିବା ନେଇ ସୁଜାତାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି। ଦେବଗଡ଼ ଜିଲ୍ଲା ରିଆମାଳ ଟୁହିଲାମାଳ ଗାଁର ସୁଜାତା ପାତ୍ରଙ୍କ ବାପା ନିତ୍ୟାନନ୍ଦ ବାରିକଙ୍କ କହିବାନୁସାରେ, ସେ ପରିବାର ସହ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ଦେଖିବାକୁ ପାଇଥିଲେ ଯେ ଝିଅକୁ ତଣ୍ଟି ଚିପି ମାରିଦିଆଯାଇଛି। କିନ୍ତୁ ଶାଶୁ ଘର ଲୋକ ଏହାକୁ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରୁଥିବା ସେ କହିଛନ୍ତି।
ସୂଚନା ମୁତାବକ, ଦେବଗଡ଼ ଜିଲ୍ଲା ରିଆମାଳ ଟୁହିଲାମାଳର ନିତ୍ୟାନନ୍ଦ ବାରିକଙ୍କ ଝିଅ ୨୦୧୨ ମସିହାରେ ପରଙ୍ଗ ଗ୍ରାମର ବହାଳସାହିର କୃପାସିନ୍ଧୁ ପାତ୍ରଙ୍କ ପୁଅ ରୁଦ୍ର ପାତ୍ରଙ୍କୁ ରୀତିନୀତିରେ ବିବାହ କରିଥିଲେ। ବିବାହର ବର୍ଷେ ଯାଏଁ ସବୁ ଠିକ ଠାକ ଚାଲିଥିଲା। କିନ୍ତୁ ବର୍ଷେ ପରେ ଯୌତୁକ ପାଇଁ ଶାଶୁଘର ଲୋକ ସୁଜାତାଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ମାଡ଼ ମାରିଥିଲେ। ଏଭଳି ୧୦ ବର୍ଷ ହେବ ସୁଜାତାଙ୍କୁ ଯୌତୁକ ନିର୍ଯାତନା ଦେଇ ଆସୁଥିଲେ। କିଛିଦିନ ତଳେ ଭଦ୍ରଲୋକଙ୍କ ଆଗରେ ଏ ବିଷୟରେ ବୁଝାସୁଝା ହୋଇଥିଲା। କିନ୍ତୁ ବିଳମ୍ବିତ ରାତିରେ ସୁଜାତାଙ୍କ ତାଙ୍କ ସ୍ଵାମୀ ଓ ପରିବାର ସଦସ୍ୟ ତଣ୍ଟି ଚିପି ମାରି ଦେଇ ରଶିରେ ଝୁଲାଇ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରିଥିବା ନେଇ ପରିବାର ଲୋକ ଅଭିଯୋଗ କରିଛନ୍ତି। ଏ ନେଇ ପୋଲିସ ବର୍ତ୍ତମାନ ତଦନ୍ତ କରୁଛି।