ଅନୁଗୁଳ: ଅନୁଗୁଳ ଜିଲ୍ଲା ଓରମାସ ଦ୍ବାରା ବୁଧବାର ଭ୍ରାମ୍ୟମାଣ ଆମ୍ବ ବିକ୍ରୟ ଗାଡିର ଶୁଭାରମ୍ଭ କରାଯାଇଛି। ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କରସ୍ବାଇଁ ଆନୁଷ୍ଠାନିକ ଭାବେ ସବୁଜ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଛନ୍ତି। ଆମ୍ବ ବିକ୍ରୟରେ ଉଭୟ ଚାଷୀ ଓ ଉତ୍ପାଦକ ସଂସ୍ଥା ଲାଭବାନ ହେବେ। ଏହାଦ୍ବାରା ଲୋକମାନଙ୍କ ନିକଟରେ ସୁଲଭ ମୂଲ୍ୟରେ ଉପଲବଧ ହେବ ବୋଲି ଜିଲ୍ଲାପାଳ ଶ୍ରୀ ସ୍ବାଇଁ ପ୍ରକାଶ କରିଥିଲେ। ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟ ପରିସରରୁ ବାହାରିଥିବା ଏହି ଆମ୍ବ ବିକ୍ରୟ ଗାଡିରେ, ଆମ୍ରପାଲି, ବାଇଗଣ ପଲେଇ, ଲେଙ୍ଗେଡା, ଆଖୁରସ, ଦସେରୀ, ବମ୍ବେଗ୍ରୀନ, ମଲ୍ଲିକା ଇତ୍ୟାଦି ବିଭିନ୍ନ କିସମର ଆମ୍ବ ଉପଲବ୍ଧ ହେଉଛି। ବିନା ରାସାୟନିକ ପ୍ରକ୍ରିୟାରେ ଗଛରେ ପାଚିଥିବା ସମୟରେ ଏହାକୁ ସଂଗ୍ରହ କରାଯାଉଛି। ଏହି ଆମ୍ବକୁ ଚାଷୀମାନେ ଅନୁଗୋଳ ପ୍ରଡ୍ୟୁସର ଲିଃ, ଚାରମଲ୍ଲିକ ପ୍ରଡ୍ୟୁସର କମ୍ପାନୀ ଓ ଫାରମରର୍ସ ଆଦର୍ଶ କୃଷକ ପ୍ରଡ୍ୟୁସର କମ୍ପାନୀକୁ ବିକ୍ରୟ କରୁଛନ୍ତି। ଚାଷୀମାନଙ୍କ ନିକଟରୁ ସଂଗ୍ରହ ହେଉଥିବା ଆମ୍ବ, ଭାମ୍ୟମାଣ ଗାଡି ସାହାଯ୍ୟରେ ଲୋକଙ୍କ ପାଖରେ ସୁଲଭ ମୂଲ୍ୟରେ ପହଞ୍ଚାଯାଉଛି। ଚଳିତ ବର୍ଷ ଆମ୍ବ ଅମଳ କମ୍ ଥିବାରୁ ଏହାର ସର୍ବାଧିକ ମୂଲ୍ୟ କେଜି ପ୍ରତି ୭୫ ଟଙ୍କା ରଖାଯାଇଛି। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ରଜନୀକାନ୍ତ ସ୍ୱାଇଁ, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ) ସନ୍ତୋଷ କୁମାର ପ୍ରଧାନ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଦିଲ୍ଲିପ କୁମାର ସାହୁ, ଅନୁଗୁଳ ଉପଜିଲ୍ଲାପାଳ ବଇତୁରା ଦିପ୍ଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ। ଓରମାସର ଉପ କାର୍ଯ୍ୟନିର୍ବାହୀ ଅଧିକାରୀ ସୌରଭମୟ ଦାସ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।
ଓରମାସ ଭ୍ରାମ୍ୟମାଣ ଆମ୍ବ ବିକ୍ରୟ ଗାଡିର ଶୁଭାରମ୍ଭ
- Post published:June 8, 2022
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Swagatika Samantray

Tags: Angul