ବାହାଳସାହିରେ ବେଆଇନ୍ କୋଇଲା ଖାତ

ପୁଲିସ, ପ୍ରଶାସନର ମିଳିତ ଚଢ଼ଉ

0

ଅନୁଗୁଳ : ଛେଣ୍ଡିପଦା ତହସିଲ୍ ଅଫିସ୍ ଓ ଥାନାଠୁ ମାତ୍ର ୪ କିଲୋମିଟର ଦୂରରେ ପୁଞ୍ଜା ପୁଞ୍ଜା ବେଆଇନ୍ କୋଇଲା ଖାତ । ଦୂରରୁ ଦେଖିଲେ ଲାଗିବ ପରିତ୍ୟକ୍ତ କୂଅ । ହେଲେ ଏହି କୂଅ ମାଧମରେ ଅତ୍ୟନ୍ତ ବିପଦପୂର୍ଣ୍ଣ ଭାବରେ ହେଉଥିଲା କୋଇଲା ଉତ୍ତୋଳନ । ବର୍ଷ ବର୍ଷ ଧରି ବେଧଡ଼କ ଚାଲିଥିଲା ବେଆଇନ୍ କୋଇଲା କାରବାର। ହେଲେ ତହସିଲ ପ୍ରଶାସନ ନା ପୁଲିସ୍ ଏ ଦିଗରେ କୌଣସି ପଦକ୍ଷେପ ନେଉ ନଥିଲା । ଏପରିକି ତାଳଚେରରେ ଡେପୁଟି ଡାଇରେକ୍ଟର୍ (ଖଣି)ଙ୍କ କାର୍ଯ୍ୟାଳୟ ରହିଥିଲେ ମଧ୍ୟ ଏହି ବେଆଇନ୍ କାରବାର ରୋକିବା ଦିଗରେ କୌଣସି ଠୋସ୍ ପଦକ୍ଷେପ ଗ୍ରହଣ କରାଯାଇନଥିଲା । ଜମିରେ ବିଶାଳ କୂଅ ଖୋଳି ଶ୍ରମିକଙ୍କ ଦ୍ବାରା କୋଇଲା ଖନନ କରି ଜିଲ୍ଲା ତଥା ଜିଲ୍ଲା ବାହାରକୁ ଅନାୟାସରେ ଚାଲାଣ ହୋଇଆସୁଥିଲା ।


ଗତ ଶନିବାର ବେଆଇନ୍ ଖାତରେ ପଡ଼ି ଜଣେ ସ୍ଥାନୀୟ ଯୁବକଙ୍କ ଅକାଳ ମୃତ୍ୟୁ ହେବା ପରେ ଚାରିଆଡୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଏହି ଘଟଣା ପରଠାରୁ ବେଆଇନ୍ ଖାତଗୁଡ଼ିକ ଏକ ପ୍ରକାର ବନ୍ଦ ରହିଥିବା ବେଳେ ନିଜ ତୁଟି ଲୁଚାଇବାକୁ ପୁଲିସ, ପ୍ରଶାସନ ଓ ଖଣି ବିଭାଗ ବୁଧବାରଠାରୁ ମିଳିତ ଭାବେ ଜୋରଦାର ଧରପଗଡ଼ ଆରମ୍ଭ କରିଛନ୍ତି । ଛେଣ୍ଡିପଦା ନିକଟସ୍ଥ ବାହାଳସାହିରେ ଥିବା ବେଆଇନ୍ କୋଇଲା ଖାତରେ ମିଳିତ ଚଢ଼ଉ କରି ପ୍ରଥମ ଦିନରେ ୭ଟି ବେଆଇନ ଖାଦାନକୁ ପୋକଲେନ୍ ଲଗାଇ ଭାଙ୍ଗି ଦିଆଯାଇଛି । କେବଳ ବାହାଳସାହି ଗ୍ରାମରେ ୨୫ଟି ବେଆଇନ କୋଇଲା ଖାତ ଥିବା ଜଣାପଡ଼ିଛି ।
ଛେଣ୍ଡିପଦା ଥାନାର ସବ୍ଇନିସ୍‌ପେକ୍ଟର ଅଜୟ କୁମାର ସାହୁ ମାମଲାର ତଦନ୍ତ ଚଳାଇଛନ୍ତି । ଚଢ଼ଉରେ ଅନ୍ୟମାନଙ୍କ ମଧ୍ୟରେ ଖଣି ବିଭାଗ କର୍ମକର୍ତ୍ତାଙ୍କ ସମେତ ଅନୁଗୁଳ ଉପଖଣ୍ଡ ପୁଲିସ ଅଧିକାରୀ ଅଶ୍ଵିନୀ କୁମାର ସାହୁ, ଛେଣ୍ଡିପଦା ଆଇଆଇସି ଜ୍ଞାନେନ୍ଦ୍ର ସାମଲ, ଏସ୍‌ଆଇ ଅଜୟ କୁମାର ସାହୁ ପ୍ରମୁଖ ସାମିଲ୍ ଥିଲେ । ଆଗକୁ ମଧ୍ୟ ଚଢ଼ଉ ଜାରି ରହିବ ବୋଲି ଥାନା ଅଧିକାରୀ ଶ୍ରୀ ସାମଲ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.

error: Content is protected !!