ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡ଼ା ଥାନା ସୁବର୍ଣ୍ଣପାଲି ଗ୍ରାମର ସିତିରିଆ ସାହିରେ ରାତି ଅଧିଆ ଧର୍ମାନ୍ତୀକରଣ ଚାଲିଥିବା ବେଳେ ଚଢ଼ାଉ ହୋଇଛି। ସ୍ଥାନୀୟ ବିଜେପି ଯୁବମୋର୍ଚ୍ଚା କର୍ମକର୍ତ୍ତାମାନେ ଧର୍ମ ପରିବର୍ତ୍ତନ କରାଉଥିବା ଯୁବକଙ୍କୁ କାବୁ କରି ପୋଲିସକୁ ହସ୍ତାନ୍ତର କରିଛନ୍ତି। ସମ୍ପୃକ୍ତ ଯୁବକଜଣକ ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ସରୁଆଳି ଗ୍ରାମର ସୁଜିତ ନାଏକ (୩୩) ବୋଲି ଜଣାପଡ଼ିଛି।
ସୂଚନା ଅନୁଯାୟୀ, ସୁଜିତ ସେଠାକାର ଆଦିବାସୀ ଓ ହରିଜନ ସମ୍ପ୍ରଦାୟର ଲୋକଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଧର୍ମାନ୍ତୀକରଣ ପାଇଁ ପ୍ରବର୍ତ୍ତାଉଥିଲେ। ଖବର ପାଇ ବିଜେପି କର୍ମକର୍ତ୍ତାମାନେ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଧରିଥିଲେ। ପୋଲିସ ଘଟଣାସ୍ଥଳରୁ ସୁଜିତଙ୍କୁ ଥାନାକୁ ଆଣି ପଚରାଉଚୁରା କରିବା ସହ ତାଙ୍କ ନିକଟରୁ ଏକ ବାଇବେଲ୍ ଓ ହାତଲେଖା ଖାତା ଜବତ କରିଛି।
ପରେ ଗ୍ରାମବାସୀଙ୍କ ଉପସ୍ଥିତିରେ, ପାଳଲହଡ଼ା ଅଞ୍ଚଳରେ ଆଉ କେବେ ଏଭଳି କାର୍ଯ୍ୟ କରିବେ ନାହିଁ ବୋଲି ଏକ ଚୁକ୍ତିନାମା ଲେଖିବା ପରେ ପୋଲିସ ଉକ୍ତ ଯୁବକଙ୍କୁ ଛାଡ଼ି ଦେଇଥିବା ସୂଚନା ମିଳିଛି।











