ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ରେଙ୍ଗାଳି ପ୍ରକଳ୍ପ ଓସିସି କଲୋନୀ ନିକଟସ୍ଥ ବାବାଆଖଣ୍ଡଳମଣି ମନ୍ଦିର ପରିସରରେ ମା’ ହିଙ୍ଗୁଳା ଓ ମା’ ବାଟମଙ୍ଗଳାଙ୍କ ଲେଉଟାଣି ଉତ୍ସବ ଅନୁଷ୍ଠିତ ହୋଇଛି। ଏ ଅବସରରେ ମନ୍ଦିରରେ ଯଥା ରୀତି ପୂଜାର୍ଚ୍ଚନା ପରେ ସର୍ବସାଧାରଣ ଦର୍ଶନ ନୀତି ହୋଇଥିଲା।
ଜାଗର ବେଳେ ବାପଘର ଆଖଣ୍ଡଳମଣି ମନ୍ଦିରକୁ ଯାଇଥିଲେ ମା’। ଆଜି ଫେରିଛନ୍ତି। ମନ୍ଦିରର ମୁଖ୍ୟ ଉପଦେଷ୍ଟା ସେବକ ଆକୁଳ ପଣ୍ଡାଙ୍କ ପୌରୋହିତ୍ୟରେ ନାମସଂକୀର୍ତ୍ତନ ସହ ଦୁଇ ଦେବୀଙ୍କର ମନ୍ଦିର ବେଢ଼ା ପରିକ୍ରମା କରାଯାଇ ମନ୍ଦିର ବାହାରକୁ ଅଣାଯାଇଥିଲା। ସେଠାରେ ପିଠାପଣା, ଶାଢ଼ି, ଶଙ୍ଖା, ଭାର, ପ୍ରସାଧନ ସାମଗ୍ରୀ ସହ ଝିଅ ବିଦା ନିୟମ ଅନୁଯାୟୀ ଦେବୀଙ୍କୁ ବିଦାୟ ଦିଆଯାଇଥିଲା।
ପ୍ରଥମେ ରେଙ୍ଗାଳି ପ୍ରକଳ୍ପ ସ୍ଥିତ କପିଳେଶ୍ଵର ମନ୍ଦିର ସମ୍ମୁଖରେ ଥିବା ମା’ ବାଟମଙ୍ଗଳାଙ୍କୁ ନିଜ ଆସ୍ଥାନରେ ଛାଡ଼ିବା ପରେ ମା’ ହିଙ୍ଗୁଳାଙ୍କୁ ନେଇ ତାଳଚେର ସ୍ଥିତ ଗୋପାଳପ୍ରସାଦ ପୀଠକୁ ଗସ୍ତ କରିଥିଲେ। ବାବା ଆଖଣ୍ଡଳମଣି ମନ୍ଦିର ପରିଚାଳନା କମିଟି ପକ୍ଷରୁ ସମସ୍ତ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।