ଅନୁଗୁଳ: ଅନୁଗୁଳ ବନଖଣ୍ଡ ତଥା ବନ୍ତଳା ବନାଞ୍ଚଳର କଂଜା ସେକସନ୍ ଏବଂ ସାତକୋଶିଆ ଅଭୟାରଣ୍ୟ ରାଇଗୁଡା ବନାଞ୍ଚଳ ସୀମାରେ ଏକ ବାଘର ମୃତ୍ୟୁ ହୋଇଥିବା ନେଇ ବନ୍ତଳା ଅଞ୍ଚଳରେ ଗୁଜବ ସୃଷ୍ଟି ହୋଇଛି। ଏ ସମ୍ପର୍କରେ ସୂଚନା ପାଇବା ପରେ ବନ ବିଭାଗର ଏକ ଟିମ୍ ଦୁଇ ବନାଞ୍ଚଳର ସୀମାନ୍ତବର୍ତୀ ଇଲାକାରେ ଜୋରଦାର ତଲାସି ଚଳାଇଥିଲେ ହେଁ କୌଣସି ବନ୍ୟଜନ୍ତୁର ମୃତଦେହ ସମ୍ପର୍କରେ ସନ୍ଧାନ ପାଇପାରିନଥିବା ଜଣାଯାଇଛି। ସୂଚନାଥାଉକି, ସାତକୋଶିଆ ଅଭୟାରଣ୍ୟରେ ଏବେ ଗୋଟିଏ ମାତ୍ର ବୃଦ୍ଧା ବାଘୁଣୀ ରହିଛି । ସାତକୋଶିଆ ଏସିଏଫ୍ ଶୁଭେନ୍ଦୁ ବେହେରା କହିଛନ୍ତି, ସାତକୋଶିଆର ମହାବଳ ବାଘୁଣୀ ଶୁକ୍ରବାର ଭୋର୍ ସମୟରେ ରାଇଗୁଡ଼ା ବନାଞ୍ଚଳରେ ବୁଲୁଥିବା ଜଣାପଡ଼ିଛି। ବାଘୁଣୀର ଆତଯାତ ନେଇ ସ୍ଵତନ୍ତ୍ର ରୁଟ୍ ମ୍ୟାପ୍ ରହିଛି। ସେ ଯେଉଁ ଅଞ୍ଚଳରେ ବୁଲାବୁଲି କରୁଛି ବନବିଭାଗ ପକ୍ଷରୁ ଲାଗିଥିବା ସିସିଟିଭିରେ ଚିତ୍ର କଏଦ୍ ହେଉଥିବା ବେଳେ ବାଘ ପାଦ ଚିହ୍ନରୁ ବି ଜଣାପଡ଼ିଯାଉଛି । ସାତକୋଶିଆର ବୃଦ୍ଧା ବାଘୁଣୀ ସମ୍ପୂର୍ଣ୍ଣ ସୁସ୍ଥ ଅଛି ଓ ସେ ଅଭୟାରଣ୍ୟର କୋର୍ ଏରିଆରେ ରହୁଛି ବୋଲି ଶ୍ରୀ ବେହେରା ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ବନ୍ତଳା ବନାଞ୍ଚଳ ସୀମାରେ ବାଘ ମୃତ୍ୟୁ ଚର୍ଚ୍ଚାକୁ ନେଇ ବନ ବିଭାଗ ବେଶ୍ ତତ୍ପର ହୋଇଉଠିଛି। ବନ୍ତଳା ବନାଞ୍ଚଳ ଅଧିକାରୀ ମାଧବାନନ୍ଦ ନାୟକଙ୍କ ନେତୃତ୍ବରେ ବନ ବିଭାଗର ଏକ ଟିମ କଞ୍ଜା ଓ ସାତକୋଶିଆ ସୀମାନ୍ତବର୍ତ୍ତୀ ଜଙ୍ଗଲରେ ଖୋଜାଖୋଜି ଚଳାଇଛନ୍ତି ।
ବାଘ ମୃତ୍ୟୁ ଚର୍ଚ୍ଚା ନେଇ ବନ ବିଭାଗର ଛାନ୍ଭିନ୍
- Post published:October 31, 2021
- Post category:ଅନ୍ୟାନ୍ୟ / ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau
